ବିଜେଡି ସରକାରଙ୍କୁ ବିଜେପି ଯୁବମୋର୍ଚ୍ଚାର ୨୨ଟି ପ୍ରଶ୍ନ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଅଛନ୍ତି । ବିଜେଡ଼ି ନିଜକୁ ୧ ନମ୍ବର ସରକାର କହିବାର ମିଛ ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ପରେ ମଧ୍ୟ ଯୁବପିଢିଙ୍କ ଭବିଷ୍ୟତ ଆନ୍ଧାର ଆଡ଼କୁ ଯାଉଛି । ଓଡିଶାର ଅଭିବୃଦ୍ଧି କଚ୍ଛପ ଗତିରେ ଯାଉଥିବା ବେଳେ ରାଜ୍ୟ ଅପରାଧର ପେଣ୍ଠସ୍ଥଳି ଭାବେ ପରିଣତ ହେବାରେ ଲାଗିଛି ।

ଏହି ମର୍ମରେ ଶନିବାର ଭୁବନେଶ୍ୱର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ମାଧ୍ୟମରେ ୨୨ ବର୍ଷର ବିଜେଡ଼ି ସରକାରକୁ ସାଢେ ୪ କୋଟି ଓଡିଆ ଓ ଯୁବବର୍ଗଙ୍କ ପକ୍ଷରୁ ୨୨ଟି ପ୍ରଶ୍ନ କରିଛି ।
ଯୁବ ମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଯେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ପଦାର୍ଥ,ପରିଶ୍ରମୀ ମାନବ ସମ୍ବଳ, ଉର୍ବର ଚାଷ ଜମି ସତ୍ୱେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ସମ୍ଭାବ୍ୟ ଶିଳ୍ପ କେନ୍ଦ୍ର କିମ୍ବା ପୁଞ୍ଜିନିବେଶର ପେଣ୍ଠସ୍ଥଳି ଭାବରେ ଉଭା ହେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବେରୋଜଗାରୀ ଲାଗି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ପଳାୟନ କରିବା ସହ ଦାଦନ ଭାବେ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । କେବଳ ସାଧାରଣ ଜନତା ନୁହେଁ ବନ୍ୟପ୍ରାଣୀ ବି ସୁରକ୍ଷିତ ନୁହଁନ୍ତି । ମାନବ ତସ୍କରୀ ସହିତ ବନ୍ୟପ୍ରାଣୀଙ୍କ ତସ୍କରୀ ଓଡ଼ିଶାରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଓଡ଼ିଶା ଯୁବ ମୋର୍ଚ୍ଚା ପକ୍ଷରୁ ଦୀର୍ଘ ୨୨ ବର୍ଷର ଶାସନରେ ବିଜେଡ଼ି ସରକାରଙ୍କ ମୁଖିଆଙ୍କୁ ନିମ୍ନୋକ୍ତ ପଚରାଯାଇଥିବା ୨୨ଟି ପ୍ରଶ୍ନର ଉତର ରଖିବାକୁ ସେ ଦାବୀ କରିଛନ୍ତି, ଯାହା ପ୍ରତ୍ୟେକ ଯୁବବର୍ଗଙ୍କ ପ୍ରଶ୍ନ । ନିଜର ବର୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଯୁବବର୍ଗ ଏହି ପ୍ରଶ୍ନର ଉତର ଚାହୁଁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହି ପ୍ରଶ୍ନ ଗୁଡ଼ିକ ହେଉଛି ୧) ପ୍ରଧାନମନ୍ତ୍ରୀ ଆବାସରେ ହଜାର କୋଟି ଟଙ୍କାର ମହାଦୁର୍ନୀତି ପଛରେ କିଏ?୨)ସହରାଂଚଳରେ ଭୂମିହୀନଙ୍କ ପାଇଁ ଜମିପଟ୍ଟା ଆବଂଟନ ପ୍ରହସନ ନୁହେଁ କି? ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ରୂପାୟନ କିପରି? ୩) ସୀମାବର୍ତୀ ଅଂଚଳ ସୁରକ୍ଷା କେବେ?୪) ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା କାହିଁକି? ୫) ଅପପୃଷ୍ଟି ଓ ଶିଶୁ ମୃତ୍ୟୁର ଅନ୍ତ କେବେ? ୬) ଓଡ଼ିଶା ଦାରିଦ୍ର‌୍ୟ ସୀମାରେଖା ତଳେ କାହିଁକି? ୭)ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାର ଦୂରାବସ୍ଥା କେବେ ଦୂର ହେବ? ୮) ମହିଳା ଓ ଶିଶୁଙ୍କୁ ସୁରକ୍ଷା କେବେ ମିଳିବ? ୯) ଆଇନ ଶୃଙ୍ଖଳାରେ ଅବ୍ୟବସ୍ଥା ଏବଂ ନିଶା ଜନିତ ଅପରାଧର ବୃଦ୍ଧି ପାଇଁ ଦାୟୀ କିଏ ? ୧୦) ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା କାହିଁକି? ୧୧) ଭ୍ରଷ୍ଟାଚାର ପିସି କାରବାରରେ ବଡବଡ଼ିଆଙ୍କୁ ଆଶୀର୍ବାଦ କାହିଁକି ?୧୨) ଶକ୍ତି ବିଭାଗର ଚଂଚକତାରୁ ରାଜ୍ୟବାସୀ କେବେ ମୁକ୍ତ ହେବେ? ୧୩)ଶିକ୍ଷା ବିକାଶରେ ଅବ୍ୟବସ୍ଥା କାହିଁକି? ୧୪) ଡ଼ିଏମଏଫ ଫଣ୍ଡର ବ୍ୟାପକ ଦରୁପଯୋଗ, ମେକ୍ ଇନ ଓଡ଼ିଶା ବିଫଳ ଓ ଶିଳ୍ପ ଓ ଶିଳ୍ପାୟନ ସମସ୍ୟା? ୧୫) ଓବିସି ବର୍ଗଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ କେବେ? ୧୬) ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ କେବେ? ୧୭)ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ କଣ? ୧୮)ବିଜୁ ଯୁବ ବାହିନୀ, ପିଠା ଯୋଜନା ନେଇ ସରକାର ଉତର ରଖିବେ କି?୧୯)ଆମ ଗାଁ, ଆମ ବିକାଶ ଯୋଜନାର ଓ ବିଜୁ ଗାଁ ଗାଡିର ଅବସ୍ଥା କଣ ? ୨୦) ଓଡ଼ିଶାରେ ବିକଟ ବେରୋଜଗାରୀ ସମସ୍ୟା କେବେ ଦୂର ହେବ? ୨୧) ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନମିଳିବାର କାରଣ କଣ? ୨୨) ବନ୍ୟପ୍ରାଣୀ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଅଙ୍ଗ ତସ୍କରୀ ବନ୍ଦ କେବେ ତସ୍କରୀ ବନ୍ଦ କେବେ ବୋଲି ମୋର୍ଚ୍ଚା ପକ୍ଷରୁ ଏହି ୨୨ଟି ପ୍ରଶ୍ନ ପଚରାଯାଇଛି ।

ଏହାକୁ ବିସ୍ତୁତ ଭାବେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ବ୍ୟାପକ ଦୁର୍ନୀତି ଓ ଦଳୀୟ ଆଧାରରେ ହିତାଧିକାରୀ ଚୟନ ହେଉଛି । ସରକାର ବିଜୁ ପକ୍କା ଘର ଯୋଜନାର ଷ୍ଟିକର ମାରି ପ୍ରଧାନମନ୍ତ୍ରୀ ଦେଉଥିବା ଘରର ଶ୍ରେୟ ନେବାର ଅପଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ପାଇଁ ଆବଂଟିତ ଅନୁଦାନରୁ ୧୦୦୦ କୋଟି ଟଙ୍କାର ମହାଦୁର୍ନୀତି ପଛରେ କିଏ ରହିଛି? ସେହିଭଳି ଓଡ଼ିଶାର ସରକାର ଜାଗା ମିଶନ ନାଁରେ ସହରାଂଚଳରେ ବସବାସ କରୁଥିବା ୧୮ ଲକ୍ଷ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପାଇଁ ୨୦୧୮ରେ ଏହି ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ଆଜି ମଧ୍ୟ ଲୋକଙ୍କୁ ପଟ୍ଟା ଆବଂଟନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।
ସେହିପରି ପ୍ରତ୍ୟେକ ପରିବାରକୁ ପାଇପ୍ ଦ୍ୱାରା ବିଶୁଦ୍ଧ ଜଳ ଯୋଗାଣ କରାଯିବ ବୋଲି ବିଜେଡ଼ି ସାଢେ ୪ କୋଟି ଓଡ଼ିଆଙ୍କୁ ପ୍ରତିଶ୍ରୁତି ପ୍ରତାରଣା ସଦୃଶ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିଶୁଦ୍ଧ ପାଣି ଅଭାବରୁ ଲୋକମାନେ ହଇଜା, ବାନ୍ତିର ଶୀକାର ହୋଇଛନ୍ତି । ଦେଶରେ ହଇଜା ମୃତ୍ୟୁରେ ଓଡ଼ିଶା ଚତୁର୍ଥ ସର୍ବାଧିକ ରାଜ୍ୟ ଥିବା ରିପୋର୍ଟ ପ୍ରକାଶ ପାଇଛି । ଏହାର ଉତର ରାଜ୍ୟ ସରକାର ରଖିବେ କି? ଏହାବ୍ୟତିତ ସୀମା ଓ ନଦୀ ସୁରକ୍ଷା, ବନ୍ୟା ପରିଚାଳନାରେ ମଧ୍ୟ ରାଜ୍ୟ ସରକାର ଦାୟିତ୍ୱବାନ ନାହାନ୍ତି । ଓଡିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହ ଦୀର୍ଘ ଦିନର ସୀମା ବିବାଦ ଲାଗି ରହିଛି । ଆନ୍ଧ୍ର ପ୍ରଦେଶ ସରକାର ଦ୍ୱାରା ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର କିଛି ଗ୍ରାମାଂଚଳକୁ ଅକ୍ତିୟାର କରିବାର ଅପଚେଷ୍ଟା ଚାଲିଛି । ଏହାବ୍ୟତିତ ଆମ ନଦୀର ତଳ ମୁଣ୍ଡରେ ଉପଯୁକ୍ତ ବନ୍ୟା ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କେତେ ବର୍ଷ ଲାଗିବ? ହୀରାକୁଦର ତଳ ମୁଣ୍ଡରେ ୫ଟି ଜଳ ଭଣ୍ଡାର ନିର୍ମାଣ ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ଦାବୀ କରିଛି ।
ଶିଶୁ ମୃତ୍ୟୁ ହାର ଏବଂ ନବଜାତ ମୃତ୍ୟୁହାରରେ ଓଡ଼ିଶା ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ୨୦୨୧ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ଖାଦ୍ୟ ଅଭାବରୁ ୨୦୧୬ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ୬୫ ହଜାର ୬୯୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୪୪,୮୮୪ ଜଣ ଶିଶୁ କେବଳ ଆଦିବାସୀ ଅଂଚଳରେ ମୃତ୍ୟୁବରଣ କରିଛନ୍ତି । ୨୦୨୧ ବର୍ଷରେ କେବଳ ୧୩,୨୯୭ ଜଣ ଶିଶୁ ସାଂଘାତିକ ଅପପୃଷ୍ଟିର ଶୀକାର ହୋଇଛନ୍ତି । ସେଥିମଧ୍ୟରୁ ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ସର୍ବାଧିକ ଅପପୃଷ୍ଟିର ଶୀକାର ହୋଇଛନ୍ତି । ସେହିପରି ଭାରତରେ ଦାରିଦ୍ର‌୍ୟ ସୀମାରେଖା ତଳେ ରହୁଥିବା ଅଧିକାଂଶ ଲୋକ ଥିବା ଓଡ଼ିଶା ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଅଛି । ରାଜ୍ୟରେ ୨୯.୩୫ ପ୍ରତିଶତ ଜନସଂଖ୍ୟା ଗରିବ ଥିବା ବେଳେ ଦେଶରେ ଦାରିଦ୍ର‌୍ୟରେ ଓଡ଼ିଶା ୯ତମ ସ୍ଥାନରେ ରହିଛି । ପାଂଚଟି କାର୍ଯ୍ୟକାଳରୁ ଅଧିକ ସ୍ଥିର ସରକାର ଥିବା ସତ୍ୱେ ଓଡ଼ିଆ ଲୋକ କାହିଁକି ଦାରିଦ୍ର‌୍ୟ ପ୍ରତିବନ୍ଧକ ଅତିକ୍ରମ କରିନାହାଁନ୍ତି? ଏହାବ୍ୟତିତ ରାଜ୍ୟରେ ସ୍ୱାସ୍ଥ୍ୟର ଦୂରାବସ୍ଥା ହେବ ବୋଲି ଯୁବ ମୋର୍ଚ୍ଚା ପ୍ରଶ୍ନ କରିଛି । କଟକ ମେଡ଼ିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାର ପ୍ରଚାର କରୁଥିବା ବେଳେ ତାର ବଡ଼ ଉଦାହରଣ ହେଲା କିଡନୀ ରୋଗୀ ଭୁବନେଶ୍ୱର ରାଜରାସ୍ତାରେ ଧାରଣାରେ ବସିଛନ୍ତି । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ରାଜ୍ୟ ସରକାରଙ୍କ ପୁଷିଙ୍ଗ କାର୍ଡ ଭାବେ ବ୍ୟବହାର ହେଉଛି । ଗଞ୍ଜାମ ଜିଲ୍ଲାରେ ୫୨ ପ୍ରତିଶତ ଡ଼ାକ୍ତର ପଦବୀ ଖାଲି ରହିଛି । ରାଜ୍ୟରେ ପିଏଚସିରେ ୬୬୮୮ ଡାକ୍ତର ଆବଶ୍ୟକ ଥିବାବେଳେ କେବଳ ୧୩୨୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ରାଜ୍ୟ ସରକାର କାହିଁକି ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି? ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାହିଁକି ଉନ୍ନତି ହେଉନାହିଁ?

ମା’କୁ ସମ୍ମାନର ନାରା ଦେଉଥିବା ବିଜେଡ଼ି ସରକାରରେ ମହିଳା ଓ ଶିଶୁମାନେ ଅସୁରକ୍ଷିତ ଅଛନ୍ତି । ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥା ଏନସିଆରବି ତଥ୍ୟନୁସାରେ ୨୦୨୧ରେ ରାଜ୍ୟରେ ୩୧ ହଜାର ୩୫୨ ମହିଳା ବିରୋଧୀ ହିଂସା ଘଟିଥିବା ବେଳେ ୨୦୨୦ରେ ୨୫ ହଜାର ୪୮୯ଟି ମହିଳା ବିରୋଧୀ ମାମଲା ରୁଜୁ ହୋଇଛି । ୨୦୨୦-୨୧ ବର୍ଷରେ ଶିଶୁ ନିଖୋଜ ଘଟଣାରେ ୪୨ ପ୍ରତିଶତ ବୃଦ୍ଧି ପାଇ ୨୧,୪୩୩ ଶିଶୁ ନିଖୋଜ ହୋଇଛନ୍ତି । ହାରାହାରି ଦୈନିକ ରାଜ୍ୟରେ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି । ମହିଳା ଓ ଶିଶୁ ମାନଙ୍କ ବିରୋଧରେ ଅପରାଧ ଦିନକୁ ଦିନ ବୃଦ୍ଧି ଓ ଏହାକୁ ରୋକିବାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପର ଉତର ରଖନ୍ତୁ । ଅପରପକ୍ଷରେ ରାଜ୍ୟରେ ନିଶା କାରବାର ବଢ଼ିବାରେ ଲାଗିଛି । ଅଧିକାଂଶ ଯୁବପିଢ଼ିମାନେ ଏହି ନିଶାର ଶୀକାର ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୯-୨୦ ରେ ଓଡ଼ିଶା ଭାରତରେ ଗଞ୍ଜେଇ କାରବାରର ପେଣ୍ଠସ୍ଥଳି ଭାବରେ ଉଭା ହୋଇଛି । ପ୍ରଶାସନର ଜ୍ଞାତସାରରେ ଓଡ଼ିଶାରୁ ଝାଡଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଆନ୍ଧ୍ର, ତେଲେଙ୍ଗାନା ଏବଂ ତାମିଲନାଡୁକୁ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର ଓ ନିଶା ଦ୍ରବ୍ୟ ଚାଲାଣ ହେଉଛି । ଏହା ଦ୍ୱାରା ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଏହାର କିଛି ଉତର ଅଛି କି?

ରାଜ୍ୟ ସରକାର ଚାଷ କ୍ଷେତ୍ରରେ ଓ ଚାଷୀ ସମସ୍ୟା ସମାଧାନରେ ଶୋଚନୀୟ ଭାବରେ ବିଫଳ ହୋଇଛନ୍ତି । ରାଜ୍ୟରେ ଶୀତଳ ଭଣ୍ଡାର ମଧ୍ୟ ଉପଲବ୍ଧ ନାହିଁ । ଆଳୁ ଓ ପିଆଜ ମିଶନ ବିଫଳ ହୋଇଛି । ଲେମ୍ବୁ ଚାଷର ବାହାବା ମାରୁଥିବା କଥା ଆଜି ପାଣିର ଗାର ହୋଇଛି । ରାଜ୍ୟରେ ଚାଷର ଅବ୍ୟବସ୍ଥା ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି । ପ୍ରତ୍ୟେକ ବର୍ଷ ଚାଷ ଆରମ୍ଭ ସମୟରେ ସାର ମହଜୁଦ୍ ଥିଲେ ମଧ୍ୟ ରାଜ୍ୟ ସରକାର ସାର ଅଭାବ ଥିବା କହି ମିଛ ପ୍ରଚାର କରି ଚାଷୀଙ୍କ ମଧ୍ୟରେ ଭୟ ସୃଷ୍ଟି କରନ୍ତି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପ୍ରକୃତ ଚାଷୀ ଲାଭ ପାଉନାହାନ୍ତି । ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ବରଗଡ଼ରେ ଚାଷୀ ସଭାରେ ଧାନର ଏମଏସପି ଉପରେ ୧୦୦ ଟଙ୍କା ବୋନୋସ ଦେବା ଘୋଷଣାରେ ସୀମିତ । ସେହିପରି ଓଡ଼ିଶାରେ ବିନା ପିସିରେ କୌଣସି କାର୍ଯ୍ୟ ହୁଏ ନାହିଁ । ମୟୂରଭଞ୍ଜ ଜିଲ୍ଲାର ଚାରା ଦୁର୍ନୀତିରୁ ଆରମ୍ଭ କରି ଯାଜପୁରର ଡ଼ାଲି ଦୁର୍ନୀତି, ପିପିଇ କିଟ୍ କିଣାରେ ଦୁର୍ନୀତି, ସ୍କୁଲ, ବାସଗୃହ, ରାସ୍ତା ନିର୍ମାଣ, ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ବଂଟନରେ ଦୁର୍ନୀତି ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ସ୍ପଷ୍ଟ ହୋଇସାରିଛି । ଭିଜିଲାନ୍ସ ଦ୍ୱାରା ହତଗଣତି ତଳିଆ କର୍ମଚାରୀଙ୍କୁ ଧରି ନିଜ ପିଠିକୁ ନିଜେ ଥାପୁଡ଼େଉଛନ୍ତି ସରକାର । ବିଜେଡି ନେତାଙ୍କ ସ୍ୱାର୍ଥକୁ ପୁରଣ କରିନଥିବା କିଛି ହାତଗଣତି ବଡ ଅଧିକାରୀଙ୍କୁ ଧରିଛନ୍ତି । ଯେଉଁ ଅଧିକାରୀମାନେ ପିସିରେ ବୁଡି ଅଛନ୍ତି, ସେମାନଙ୍କୁ ଦେଖି ଅଣଦେଖା କରୁଛନ୍ତି ସରକାର ।

ବିଧାନସଭା ତଥ୍ୟନୁସାରେ ରାଜ୍ୟ ସରକାର ନିଜକୁ ବିଦ୍ୟୁତ ଉତ୍ପାଦନ ବହୁଳ ରାଜ୍ୟ କହି ୟୁନିଟ୍ ପିଛା ୩ ଟଙ୍କା ୨୧ ପଇସା ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି କରୁଛନ୍ତି । ପୁଣି ନିଜେ ବିଜୁଳି ୟୁନିଟ୍ ପିଛା ୩ ଟଙ୍କା ୮୧ ପଇସାରେ ବାହାର ରାଜ୍ୟରୁ କିଣୁଛନ୍ତି । ରାଜ୍ୟ ସରକାରଙ୍କ କିଣାବିକାରେ ତାରତମ୍ୟ ନରହିବା କାରଣରୁ ରାଜ୍ୟ ରାଜସ୍ୱରେ ବ୍ୟାପକ କ୍ଷତି ହେଉଛି । ଓଡ଼ିଶାରେ ୮୫ପ୍ରତିଶତ ଲୋକ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି । ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଣଶିକ୍ଷକ ପଦବୀ ଖାଲି ରହିଛି । \’ମୋ ସ୍କୁଲ\’ ଅଭିଯାନରେ ସ୍କୁଲର ଗୋଲାପୀ ଚିତ୍ର ଦେଖାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉନାହିଁ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ନାଁରେ ବିଶ୍ୱବିଦ୍ୟାଳୟର କ୍ଷମତାକୁ ସଙ୍କୁଚିତ କରିବାର ଅପଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହେବାର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ଜାତୀୟ ସ୍ତରରେ ରାଜ୍ୟର ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି । ଏହାର ଉତର ରାଜ୍ୟ ସରକାର ରଖିବେ କି?

ଓଡ଼ିଶା ଡ଼ିଏମଏଫ ପାଣ୍ଠିରୁ ସବୁଠୁ ଅଧିକ ଅର୍ଥ ପାଉଛି । ମାତ୍ର ରାଜ୍ୟ ସରକାର ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ନିଜର ଅନ୍ତର୍ନିହିତ ରାଜନୈତିକ ସ୍ୱାର୍ଥ ପାଇଁ ଏହି ଟଙ୍କାକୁ ବେଆଇନ ଭାବେ ଖର୍ଚ୍ଚ କରୁଛନ୍ତି । ଆଦିବାସୀଙ୍କ ବିକାଶ ପରିବର୍ତେ ବିନା ଟେଣ୍ଡରରେ ଦଳୀୟ କର୍ମୀଙ୍କ ନିର୍ଦ୍ଦେଶରେ ଏହି ଅର୍ଥର ଦୁରପଯୋଗ କରାଯାଉଛି । ରାଜ୍ୟ ସରକାର ଡ଼ିଏମଏଫରୁ ୨୦୨୧ ନଭେମ୍ବର ସୁଦ୍ଧା ରାଜସ୍ୱ ଆକାରରେ ୧୫, ୯୮୧ କୋଟି ଟଙ୍କା ପାଇଛନ୍ତି । ସେଥିମଧ୍ୟରୁ ରାଜ୍ୟ ସରକାର ଏବେ ସୁଦ୍ଧା ୭ ହଜାର ୭୯୫ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ମେକ୍ ଇନ୍ ଓଡ଼ିଶା କେବଳ ଏକ ପ୍ରଚାର । ରାଜ୍ୟ ସରକାର ଏହାକୁ ଇଭେଂଟ ମ୍ୟାନେଜମେଂଟ୍ ପରି ପାଳୁଛନ୍ତି । ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା ଅନୁଷ୍ଠିତ କରିବା ପାଇଁ ୨୦୧୬ରେ ୨୧ କୋଟି ଖର୍ଚ୍ଚ କରିଥିଲେ । ରାଜ୍ୟ ସରକାର ଯେଉଁ ୯୭ଟି ଶିଳ୍ପସଂସ୍ଥା ସହ ବୁଝାମଣା କରିଥିଲେ, ସେମାନଙ୍କ ମଧ୍ୟରୁ ୧୬ଟି ଷ୍ଟିଲ ପ୍ଲାଂଟ ମୁହଁ ଫେରାଇ ଚାଲିଗଲେ । ଆରଟିଆଇ ତଥ୍ୟନୁସାରେ କେବଳ ୩ଟି ସଂସ୍ଥା ଶିଳ୍ପ ଅନୁଷ୍ଠାନ କରିବା ପାଇଁ ସକ୍ଷମ ହୋଇପାରିଥିଲେ ।

ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କେବେ ମିଳିବ ? ସେହିପରି ଓଡ଼ିଆ ଭାଷାକୁ ପ୍ରଚାର ପ୍ରସାର କରିବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ୨୦୧୭ରେ ଓଡିଶା ଭାଷା ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ । ଏହାର ଉତର ରାଜ୍ୟ ସରକାର ରଖନ୍ତୁ । ସେହିଭଳି ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ହେଲେ ଏହାକୁ ମାଧ୍ୟମ କରି ଲୁଟ୍ ଚାଲିଛି । ଲୋକଙ୍କ କାମରେ ନ ଲଗାଇ ଜେସିବି ଦ୍ୱାରା କାମ କରୁଛନ୍ତି । ଠିକାଦାରଙ୍କ ଠାରୁ ଆରମ୍ଭ କରି ଜିଆରଏସ୍‌, ଜେଇ ଏବଂ ଉପରିସ୍ଥ ଅଧିକାରୀ ସମସ୍ତେ ଲୁଟିବାରେ ବ୍ୟସ୍ତ ଅଛନ୍ତି । ଏହାବ୍ୟତିତ ରାଜ୍ୟ ସରକାର ୨୦୧୯ ନିର୍ବାଚନରେ ନିଜ ରାଜନୈତିକ ସ୍ୱାର୍ଥ ହାସଲ କରିବା ତଥା ଯୁବପିଢିଙ୍କ ପାଇଁ ଯୁବ ବାହିନୀ ଗଠନ କରିଥିଲେ । ରାଜ୍ୟ ସରକାର \’ବିଜୁ ଯୁବ ବାହିନୀ\’ ନାମରେ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଏହା ସହ ସରକାର ନିଜର ଲକ୍ଷ୍ୟ ପୂରଣ ଓ ସ୍ୱାର୍ଥ ସାଧନ ପାଇଁ ବିଜୁ ଯୁବ ବାହୀନିରେ ଯୁବକ ମାନଙ୍କୁ ପଥଭ୍ରଷ୍ଟ କରିଥିଲେ । ସେହିପରି ପିଠା ଯୋଜନା ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରାଯାଇଥିଲା । ବିନା କୌଣସି ଦୂରଦୃଷ୍ଟିରେ ଆରମ୍ଭ କରାଯାଇଥିବା ପିଠା ଯୋଜନା ରାଜନୈତିକ ସ୍ୱାର୍ଥ ହାସଲ ପରେ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ । ରାଜ୍ୟ ସରକାରଙ୍କ ଆମ ଗାଁ, ଆମ ବିକାଶ ଯୋଜନା ମଧ୍ୟ ପ୍ରଚାର ସର୍ବସ୍ୱ । ଗମନାଗମନର ସୁବିଧା ପାଇଁ ୨୦୧୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆରମ୍ଭ କରିଥିଲେ ବିଜୁ ଗାଁ ଗାଡି ଯୋଜନା ବନ୍ଦ ହୋଇ ପଡ଼ିଛି । ଗାଡି ଗୁଡିକ ରାସ୍ତା କଡରେ ପଡି ଖତ ଖାଉଛି ଏବଂ ଲୋକେ ଅସୁରକ୍ଷିତ ଭାବରେ ଯାତାୟତ କରୁଛନ୍ତି । ଅନେକ ଗ୍ରାମାଂଚଳରେ ଆଜି ବି ରୋଗୀମାନେ ଖଟିଆରେ ବୁହା ହେଉଛନ୍ତି ।

ରାଜ୍ୟରେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା । ଅଧିକାଂଶ ଯୁବକ ଚାକିରି ନ ପାଇ ନିଜ ପରିବାରକୁ ଛାଡ଼ି ରୋଜଗାର ଆଶାରେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ବେରୋଜଗାରୀ ହାର ୬.୨ରହିଛି, ଯାହା ଜାତୀୟ ହାର ଠାରୁ ଅଧିକ । ୧୫ ବର୍ଷରୁ ୨୯ ବର୍ଷ ବୟସ ମଧ୍ୟରେ ବେରୋଜଗାରୀ ହାର ୩୦.୯ ପ୍ରତିଶତ ରହିଛି । ଓଡ଼ିଶା ଶିଳ୍ପ ନୀତି ଦ୍ୱାରା ୯୦ ପ୍ରତିଶତ ଅଣକୌଶଳୀ ଏବଂ ୬୦ ପ୍ରତିଶତ ଅର୍ଦ୍ଧକୌଶଳୀ ଓ ୩୦ ପ୍ରତିଶତ କୌଶଳୀଙ୍କୁ ରୋଜଗାର ଦେବା ପାଇଁ ଘୋଷଣା କରିଥିଲେ । ମାତ୍ର ପ୍ରତିଶ୍ରୁତି ପାଳନ କରିନାହାନ୍ତି । ସରକାର ଏହାର ଉତର ରଖିବେ କି? ଏହାବ୍ୟତିତ ରାଜ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି । ନିକଟରେ ହାତୀଙ୍କ ମୃତ୍ୟ ଚିନ୍ତାଜନକ ହୋଇଛି । ଶିମିଳିପାଳ, ସାତକୋଶିଆ, କେନ୍ଦୁଝର ଠାରୁ ଆରମ୍ଭ କରି ଚନ୍ଦକା, ବାରପାହାଡ଼, ରେଢ଼ାଖୋଲ ଘଂଚ ଜଙ୍ଗଲରେ ହାତୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇଛି । ଜଙ୍ଗଲ କ୍ଷୟ, ଖାଦ୍ୟାଭାବ, ଶୀକାରୀଙ୍କ ପ୍ରାଦୁର୍ଭାବ ବିଶେଷ ଭାବରେ ବଜ୍ରକପ୍ତା, ବାଘ ଶିକାର ଓ ଅସ୍ୱାଭାବିକ ହାତୀ ମୃତ୍ୟୁ ବେଶ୍ ଚିନ୍ତାଜନକ ହୋଇଛି । ଏ ସବୁର ଅନ୍ତ କେବେ, ରାଜ୍ୟ ସରକାର ଉତର ରଖନ୍ତୁ । ଏହାବ୍ୟତିତ ସମଗ୍ର ବିଶ୍ୱରେ ଓଡ଼ିଶାର ଜଙ୍ଗଲ ଜାତ ଦ୍ରବ୍ୟର ବିଶେଷ ଚାହିଦା ଓ ମୂଲ୍ୟ ରହିଛି । କେନ୍ଦ୍ର ସରକାର ଆଦିବାସୀ ବର୍ଗର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ସକାଶେ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ବୃଦ୍ଧି ଘଟାଇଛନ୍ତି । ମାତ୍ର ତାଙ୍କୁ ଏମଏସପି ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନମିଳିବାର କାରଣ କଣ ବୋଲି ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡଜେନା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିପଜ୍ୟୋତି ମୁଣ୍ଡ୍‌, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ ଓ ଓମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.