କଟକ,୦୩/୦୯: ଐତିହାସିକ ବାଲିଯାତ୍ରାକୁ ଐତିହ୍ୟ ମହୋତ୍ସବ ମାନ୍ୟତା ଦାବି କରି ଇଣ୍ଡୋନେସିଆଠାରେ ଅନୁଷ୍ଠିତ ଜି-୨୦ ଡିଜିଟାଲ୍ ସମ୍ମିଳନୀରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବାଲିଯାତ୍ରା ସହିତ ବହୁ ପୁରାତନ ନୌବାଣିଜ୍ୟ ପରମ୍ପରା ଜଡ଼ିତ । ତେଣୁ ଏହାର ଗୌରବମୟ ଇତିହାସକୁ ବିଚାରକୁ ନେଇ ୟୁନେସ୍କୋ ତରଫରୁ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦିଆଯାଉ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
ଜି-୨୦ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ନିକଟରେ ୟୁନେସ୍କୋ କୁମ୍ଭମେଳା ଓ କୋଲକାତା ଦୁର୍ଗାପୂଜାକୁ ଐତିହ୍ୟ ମାନ୍ୟତା ଦେଇଛି । ତେଣୁ ବାଲିଯାତ୍ରା ମଧ୍ୟ ଏହି ମାନ୍ୟତା ଦାବି କରୁଛି । ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ସପକ୍ଷରେ ଯୁକ୍ତି ଦର୍ଶାଇ ସେ କହିଛନ୍ତି, ଭାରତ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧି କରିବାକୁ ଜୋର୍ ଦେଉଛି । କିନ୍ତୁ ଏ ପରମ୍ପରା ଜରିଆରେ କାହିଁ କେଉଁ କାଳରୁ ବାଲିଯାତ୍ରା ଜରିଆରେ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ଭାରତ-ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ବାଲିଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ବାଲିଯାତ୍ରା ଐତିହ୍ୟ ମହୋତ୍ସବ ମାନ୍ୟତା ପାଇବା ହକ୍ଦାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଜି-୨୦ ମିଟ୍ରେ କହିଛନ୍ତି ।
ସୂଚନାଥାଉକି, ଓଡ଼ିଶାର ସର୍ବବୃହତ ମେଳା ଭାବେ ପରିଚୟ ହାସଲ କରିଛି ବାଲିଯାତ୍ରା । କିନ୍ତୁ ଏହାକୁ ଜାତୀୟ ମହୋତ୍ସବ ମାନ୍ୟତା କି ଐତିହ୍ୟ ମାନ୍ୟତା ମିଳିନାହିଁ । ଅନ୍ୟପକ୍ଷରେ ବାଲିଯାତ୍ରାର ଉତ୍ପତ୍ତି ସମ୍ବନ୍ଧୀୟ କୌଣସି ସିଦ୍ଧାନ୍ତପୂର୍ଣ୍ଣ ତଥ୍ୟ ଉନ୍ମୋଚନ ହୋଇପାରିନାହିଁ । ନାନା ମୁନିଙ୍କ ନାନା ମତ ଭଳି ଏକାଧିକ କାହାଣୀ ସାମ୍ନାକୁ ଆସିଛି । ଯେମିତି ଓଡ଼ିଆ ସାଧବ ପୁଅମାନେ ୩ସ୍ତରୀୟ ବିରାଟ ପୋତରେ ନୌବାଣିଜ୍ୟ କରିବାକୁ ବାହାରୁଥିଲେ । ବର୍ତ୍ତମାନର ଗଡ଼ଗଡ଼ିଆ ଘାଟରୁ ସାଧବ ବୋହୂମାନେ ଘରର ପୁରୁଷମାନଙ୍କୁ ବିଦାୟ ସମ୍ୱର୍ଦ୍ଧନା ଜ୍ଞାପନ କରୁଥିଲେ । ବାଲିଦ୍ୱୀପ, ସିଂହଳ ଦ୍ୱୀପ, ଜାଭା, ସୁମାତ୍ରା ଭଳି ଅଞ୍ଚଳକୁ ଯାଇ ବେପାର ବାଣିଜ୍ୟ କରି ଫେରୁଥିଲେ ସାଧବ ପୁଅ । ବିଶେଷ କରି ଦକ୍ଷିଣପୂର୍ବ ଏସୀୟ ଦେଶଗୁଡିକୁ ଯାଇ ବ୍ୟବସାୟ କରୁଥିଲେ । ତେବେ ଗଡ଼ଗଡ଼ିଆ ଘାଟରୁ ସାଧବପୁଅମାନଙ୍କ ଏହି ଯାତ୍ରାକୁ ନେଇ ବାଲିପଡିଆରେ ବେଶ୍ ଜନଗହଳି ହୁଏ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ବାଲିଯାତ୍ରା ଭାବେ ନାମକରଣ ହୋଇଛି ବୋଲି ଐତିହାସିକମାନେ ଅନୁମାନ କରନ୍ତି ।