POCSO କେସରେ ଗିରଫ ହେଲେ ମୁରୁଗ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି

ବେଙ୍ଗାଲୁରୁ: ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ମାମଲାରେ କର୍ଣ୍ଣାଟକର ପ୍ରଭାବଶାଳୀ ମୁରୁଗ ରାଜେନ୍ଦ୍ର ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି ମୁରୁଗ ଶରନାରୁଙ୍କୁ ଗୁରୁବାର ବିଳମ୍ବିତ ରାତ୍ରିରେ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୋକ୍ସୋ ଆକ୍ଟ ଆଧାରରେ ରୁଜୁ ମାମଲାରେ ଶରନାରୁଙ୍କ ନାମ ସାମ୍ନାକୁ ଆସିଥିଲା।

ଏଥିରେ ଦୁଇ ଜଣ ନାବାଳିକା ଅଭିଯୋଗ କରିଥିଲେ ଯେ, ବର୍ଷ ବର୍ଷ ଧରି ସନ୍ଥ ତାଙ୍କର ଯୌନ ଶୋଷଣ କରିଛନ୍ତି। ତେବେ ଏହି ସମ୍ବେଦନଶୀଳ ମାମଲାରେ ଉଭୟ ଶାସକ ଏବଂ ବିରୋଧୀ ଦଳ ନିରବଦ୍ରଷ୍ଟା ସାଜିଛନ୍ତି।

ଏହି ଚାଞ୍ଚଲ୍ୟକର ମାମଲାରେ ତଦନ୍ତରେ ବିଳମ୍ବ କାରଣରୁ ପୋଲିସର କାର‌୍ୟ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏପରିକି କର୍ଣ୍ଣାଟକର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସ ଏହି ମାମଲାରେ ନିରବତା ଅବଲମ୍ବନ କରିଛନ୍ତି। ଶିବମୂର୍ତ୍ତି ମୁରୁଗ ଶରନାରୁଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଉଚିତ୍ କାର‌୍ୟ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି।

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏମିତିରେ ଲିଙ୍ଗାୟତ ପୂଜାରୀଙ୍କ ଗିରଫଦାରୀ ରାଜନୀତି ଉପରେ ପ୍ରଭାବ ପକାଇବାର ଅନୁମାନ କରାଯାଉଛି। ମୁରୁଗ ରାଜେନ୍ଦ୍ର ମଠ ରାଜ୍ୟର ଏକ ପ୍ରମୁଖ ଲିଙ୍ଗାୟତ ମଠ। ଏହାକୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରଭାବଶାଳୀ ମଠ କୁହାଯାଏ। କୁହାଯାଏ ଯେ, ଏହି ମଠ ରାଜନୀତିରୁ ବହୁତ ଦୂରରେ। ହେଲେ ରାଜନେତାଙ୍କ ଭିଡ ଏହି ମଠରେ ଦେଖିବାକୁ ମିଳେ। ସନ୍ଥଙ୍କୁ ଭେଟିବା ପାଇଁ ନେତାଙ୍କ ଧାଡି ଲାଗିଥାଏ। କାରଣ କର୍ଣ୍ଣାଟକରେ ଲିଙ୍ଗାୟତ ଗୁରୁଙ୍କ ଆଶୀର୍ବାଦର ବହୁତ ପ୍ରତୀକାତ୍ମକ ମୂଲ୍ୟ ରହିଥାଏ। ଏଥିରେ ନେତାମାନଙ୍କୁ ଲିଙ୍ଗାୟତ ସମୁଦାୟଙ୍କ ଭୋଟ୍ ମିଳିବାରେ ବେଶ ସହାୟକ ହୋଇଥାଏ।

କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନତା ସାଧାରଣତଃ ବିଜେପି ଉପରେ ତୀକ୍ଷ୍ମ ହମଲା କରିଥାନ୍ତି। ହେଲେ ଛାତ୍ରୀମାନଙ୍କ ସହ ଯୌନ ଶୋଷଣ ମାମଲାରେ ବିରୋଧୀ ଦଳ ମଧ୍ୟ ପଦୁଟିଏ କହିବାକୁ ପ୍ରସ୍ତୁତ ନୁହେଁ। ଶିବମୂର୍ତ୍ତି ୨୦୦୫ରେ ସେତେବେଳେ ସିଦ୍ଧରମୈୟାଙ୍କ ସମର୍ଥନ କରିଥିଲେ ଯେତେବେଳେ ସେ ଜନତା ଦଳ ସେକ୍ୟୁଲାର ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ନିକଟରେ ଏହି ମଠକୁ ଗସ୍ତ କରିଥିଲେ। ଶିବମୂର୍ତ୍ତିଙ୍କ ଦ୍ଵାରା ଲିଙ୍ଗାୟତବାଦରେ ଦୀକ୍ଷା ପ୍ରାପ୍ତ କରିଥିଲେ।

nis-ad
Leave A Reply

Your email address will not be published.