କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା ଦେଶକୁ ଦେବାଳିଆ କରିଦେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରଦାତାଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଦେବା ଧାରା ଲାଗିରହିଲେ, ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଥିବା ମାଗଣା ସୁବିଧା ପରମ୍ପରା ବିରୋଧରେ ଏକାଧିକ ପିଟିଶନକୁ ତିନିଜଣିଅ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗର ବ୍ୟାପକ ଶୁଣାଣି ଆବଶ୍ୟକ। ତେବେ ସବୁ ପ୍ରତିଶ୍ରୁତିକୁ ମାଗଣା ସୁବିଧା ଭାବେ ଦେଖାଯାଇପାରିବ ନାହିଁ। କାରଣ ସେଥିରୁ କେତେକ କଲ୍ୟାଣକାରୀ ଯୋଜନା କିମ୍ବା ଜନମଙ୍ଗଳ ପଦକ୍ଷେପ ଏବଂ ଅର୍ଥନୈତିକ ଦାୟିତ୍ୱବୋଧ ରହିଛି। ସେହି ଯୋଜନାଗୁଡ଼ିକ କେବଳ ରାଷ୍ଟ୍ରର ନୀତି ନିର୍ଦ୍ଦେଶକ ତତ୍ତ୍ୱର ଅଂଶବିଶେଷ ନୁହେଁ, ଜଳମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ ବୋଲି ସିଜେଆଇ ଜଷ୍ଟିସ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ମାଗଣା ସୁବିଧା ପ୍ରତିଶ୍ରୁତି ପ୍ରଦାନ କରିବା ଧାରା ଏକ ଗମ୍ଭୀର ପ୍ରସଙ୍ଗ ଦର୍ଶାଇ ସୁପ୍ରିମକୋର୍ଟ ଏହା ଉପରେ ବିତର୍କ ଜରୁରୀ ବୋଲି କହିଥିଲେ। କେନ୍ଦ୍ର ସରକାର ଏଥିପାଇଁ ସର୍ବଦଳୀୟ ବୈଠକ ଡାକୁ ନ ଥବାରୁ ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରିଥିଲେ। ମାଗଣା ସୁବିଧା ପରମ୍ପରା ଅର୍ଥନୀତିକୁ ଧ୍ୱଂସ କରିଦେବାକୁ ଯାଉଛି।

ଏହା ବନ୍ଦ ହେବା ଦରକାର। ଏନେଇ ରାଜନୈତିକ ଦଳଗୁଡ଼ିକ ସର୍ବସମ୍ମତ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କିଛି କରିହେବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଦଳଗୁଡ଼ିକର ମାଗଣା ସୁବିଧା ପ୍ରତିଶ୍ରୁତି ମତଦାନକୁ ପ୍ରଭାବିତ କରୁଛି। ଏଭଳି ଧାରା ବନ୍ଦ ଲାଗି ନିର୍ଦ୍ଦେଶ ଦେବା ପାଇଁ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଓ ଅନ୍ୟମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

nis-ad
Leave A Reply

Your email address will not be published.