ମାଟିରେ ମିଶିବ ବାଦାମବାଡ଼ି ବାଣିଜ୍ୟକର ବିଭାଗର ୭୨ କ୍ବାର୍ଟର୍ସ

କଟକ: ମାଟିରେ ମିଶିବ ବାଦାମବାଡ଼ି ନ୍ୟୁ ଏଲ୍ଆଇସି କଲୋନିସ୍ଥିତ ବାଣିଜ୍ୟ କର ବିଭାଗର ୭୨ କ୍ବାର୍ଟର୍ସ। ଏହା ବଦଳରେ ବାଣିଜ୍ୟ କର ଜୋନ୍ କାର୍ଯ୍ୟାଳୟ ପାଇଁ ନିର୍ମାଣ ହେବ ଅତ୍ୟାଧୁନିକ ପ୍ରାସାଦ। ଏସଂକ୍ରାନ୍ତରେ ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ବିଭାଗ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି।

ଭଙ୍ଗା ହେବାକୁ ଥିବା କ୍ବାର୍ଟର୍ସରେ ରହୁଥିବା କର୍ମଚାରୀଙ୍କୁ ଏବିଷୟରେ ଜଣାଇ ଦିଆଯାଇଛି। ବାଣିଜ୍ୟ କର ବିଭାଗ ପକ୍ଷରୁ ଏକ ମାସ ତଳେ କର୍ମଚାରୀଙ୍କୁ କ୍ବାର୍ଟର୍ସ ଛାଡ଼ିବାକୁ ଜଣାଇ ଦିଆଯାଇଥିବା ବ‌େ‌ଳେ ଆଜି ଜି’ ବ୍ଲକ୍‌ରୁ ବିଦ୍ୟୁତ ସ‌ଂଯୋଗ କାଟି ଦିଆଯାଇଛି। ସତୁରୀ ଦଶକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଙ୍କରୋଡ୍-ବାଦାମବାଡ଼ି ନ୍ୟୁ ଏଲ୍‌ଆଇସି କଲୋନି ପାଖରେ କର୍ମଚାରୀଙ୍କ ପାଇଁ ୨୬୫ଟି କ୍ବାର୍ଟର୍ସ ନିର୍ମିତ ହୋଇଥିଲା। ସେଥିରୁ ବାଣିଜ୍ୟ କର ବିଭାଗର ପାଖାପାଖି ୧୭୨ଟି କ୍ବାର୍ଟର୍ସ ରହିଥିବା ବ‌େଳେ ଅବଶି‌ଷ୍ଟ କ୍ବାର୍ଟର୍ସରେ ଅନ୍ୟ ବିଭାଗର କର୍ମଚାରୀ ରହୁଥ‌ିଲେ। ଏଠାରେ ବାଣିଜ୍ୟ କର ବିଭାଗର ଚତୁର୍ଥଶ୍ରେଣୀ କର୍ମଚାରୀ ରହୁଥିଲେ। ୨୦୧୨/୧୩ ପର୍ଯ୍ୟନ୍ତ ସବୁ କ୍ବାର୍ଟର୍ସରେ ପରିପୂର୍ଣ୍ଣ ଥିଲା। କିନ୍ତୁ କର୍ମଚାରୀମାନେ ଅବସର ନେବା ପରେ ଧୀରେ ଧୀରେ କ୍ବାର୍ଟର୍ସଗୁଡ଼ିକ ଫାଙ୍କା ପଡ଼ିଲା। ଜି, ଏଚ୍‌, ଆଇ ବ୍ଲକ୍‌ରେ ମୋଟ ୭୨ଟି କ୍ବାର୍ଟର୍ସ ରହିଥିବା ବେଳେ ସଂପ୍ରତି ମାତ୍ର ୨୦/୨୫ଟି ପରିବାର ବାସବାସ କରୁଛନ୍ତି।

ଏହା ବ୍ୟତୀତ ଅନ୍ୟ ବ୍ଲକ୍‌ରେ ବାଣିଜ୍ୟ ବିଭାଗର ପାଖାପାଖି ୧୦୦ଜଣ କର୍ମଚାରୀ ରହୁଛନ୍ତି। ଜି, ଏଚ୍‌, ଆଇ ବ୍ଲକ୍‌ ଦୀର୍ଘଦିନ ହେଲା ମରାମତି ନହୋଇ ଭାଙ୍ଗିରୁଜି ଗଲା। ବାଣିଜ୍ୟ କର ବିଭାଗ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯିବା ସହିତ ଭାଙ୍ଗିଦେବାକୁ ନିଷ୍ପତ୍ତି ନିଆଗଲା। ମାସକ ତଳେ ଏହି ତିନିଟି ବ୍ଲକ୍‌ରେ ରହୁଥିବା କର୍ମଚାରୀଙ୍କୁ ତୁରନ୍ତ କ୍ବାର୍ଟର୍ସ ଫାଙ୍କା କରିବାକୁ ନୋଟିସ୍ ଜାରି କରାଯାଇଥିଲା। କିଛି କର୍ମଚାରୀ ଘର ଫାଙ୍କା କରିଥିବା ବେଳେ ଆଉ କିଛି କର୍ମଚାରୀ ଏବେ ବି ରହୁଛନ୍ତି। କିନ୍ତୁ ଆଜି ଜି’ ବ୍ଲକ୍‌ରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି। ଆଗାମୀ ଦିନରେ ଅନ୍ୟ ବ୍ଲକ୍‌ରୁ ମଧ୍ୟ ବିଦ୍ୟୁତ୍ ସଂ‌ଯୋଗ କଟାଯିବାକୁ ସୂଚନା ଦିଆଯାଇଛି। ଏସଂକ୍ରାନ୍ତରେ ସଂପୃକ୍ତ ୪୪ନମ୍ବର ୱାର୍ଡ କର୍ପୋରେଟର ତଥା ସିଏମ୍‌ସି ୱାର୍କସ୍‌ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ କି‌ଶୋର ଖୁଣ୍ଟିଆ କହିଛନ୍ତି, ଅସୁରକ୍ଷିତ ଘୋଷଣା ହୋଇଥିବାରୁ ବାଣିଜ୍ୟ କର ବିଭାଗ ପକ୍ଷରୁ ଏଲ୍‌ଆଇସି କଲୋନିସ୍ଥିତ ଜି, ଏଚ୍‌, ଆଇ ବ୍ଲକ୍‌କୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ବିଭାଗ ପକ୍ଷରୁ ‌ବାଣିଜ୍ୟ କର ବିଭାଗର ‌ଜୋନ୍ କାର୍ଯ୍ୟାଳୟ କରାଯିବାକୁ ଯୋଜନା ‌ହୋଇଛି ବୋଲି ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.