ଭାରତରେ ହମଲା ମସୁଧା: ଆଇଏସ୍‌ ଆତଙ୍କୀକୁ ଧରିଲା ରୁଷ, ଟାର୍ଗେଟରେ ଥିଲେ ରାଜନେତା

ନୂଆଦିଲ୍ଲୀ: ଭାରତ ବିରୋଧରେ ଇସଲାମିକ ଷ୍ଟେଟ(ଆଇଏସ) କରୁଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ରୁଷ। ଭାରତୀୟ ଜଣେ ବଡ଼ ରାଜନେତାଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲାର ଯୋଜନା କରୁଥିବା ଆଇଏସ ଆତଙ୍କୀକୁ ଧରିଛନ୍ତି ରୁଷ ସୁରକ୍ଷାକର୍ମୀ। ଏହି ଆତଙ୍କୀ ଜଣକ ରୁଷରୁ ଭାରତକୁ ଆସିବା ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛି।
ଆଜି ଏ ସମ୍ପର୍କରେ ରୁଷର ଫେଡରାଲ ସିକ୍ୟୁରିଟି ସର୍ଭିସ(ଏଫଏସ୍‌ବି) ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଧରା ପଡ଼ିଥିବା ଆଇଏସ୍‌ ଆତଙ୍କୀ ଭାରତରେ କ୍ଷମତାସୀ ରାଜନୀତିକ ଦଳର କୌଣସି ବଡ଼ ନେତାଙ୍କୁ ଆତ୍ମଘାତୀ ହମଲାରେ ହତ୍ୟା କରିବାକୁ ମସୁଧା କରିଥିଲା। ଏଫଏସ୍‌ବି ପ୍ରଥମେ ଉକ୍ତ ଆତଙ୍କୀକୁ ଚିହ୍ନଟ କରିଥିଲା ଓ ଏହାପରେ ତା’କୁ ଗିରଫ କରାଯାଇଛି।
ଗିରଫ ଆତଙ୍କୀ ଜଣକ ଆଇଏସ୍‌ ପାଇଁ କାମ କରୁଥିଲା। ସେ କେନ୍ଦ୍ରୀୟ ଏସିଆରେ ଥିବା କୌଣସି ଗୋଟିଏ ଦେଶର ନାଗରିକ। ସେ ରୁଷରୁ ପୂରା ଯୋଜନା ସହ ଭାରତରେ ପହଞ୍ଚି ସେଠାରେ ଜଣେ ବଡ଼ ରାଜନେତାଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରିବାକୁ ଲକ୍ଷ୍ୟ ରଖିଥିଲା। ସେ ଭାରତରେ ହମଲା କରିବାକୁ ଶପଥ ନେଇଥିବା ବିବୃତିରେ କୁହାଯାଇଛି।
ରୁଷ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗିରଫ ଆତଙ୍କୀ ଏପ୍ରିଲରୁ ଜୁନ୍‌ ମାସ ଯାଏ ତୁର୍କୀରେ ହମଲା ପାଇଁ ତାଲିମ ନେଇଥିଲା। ସେ ଆଇଏସ୍‌ ସଂଗଠନର ଆତ୍ମଘାତୀ ହମଲା ସ୍କ୍ୱାଡରେ ସାମିଲ ହୋଇଥିଲା। ସେଠାରେ ତାକୁ କେମିତି ଆତ୍ମଘାତୀ ହମଲା କରିବାକୁ ହୁଏ, ସେ ବାବଦରେ ବିସ୍ତୃତ ତାଲିମ ଦିଆଯାଇଥିଲା। ସେ ଟେଲିଗ୍ରାମ ଜରିଆରେ ହିଁ ଆଇଏସ୍‌ ସହ ଯୋଡ଼ି ହୋଇଥିଲା।
ତୁର୍କୀରୁ ତାଲିମ ପାଇବା ପରେ ଆଇଏସ ପକ୍ଷରୁ ରୁଷରେ ତା’ର ପ୍ରବେଶ ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା। ରୁଷରେ ସେ କିଛି ଦିନ ରହିବା ପରେ ସେଠାରୁ ଭାରତ ଆସିବାକୁ ଯୋଜନା କରିଥିଲା। ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା। କିନ୍ତୁ ସେ ଭାରତକୁ ଆସିବା ପୂର୍ବରୁ ହିଁ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି।
ଅନ୍ୟପକ୍ଷରେ ତା’ ଟାର୍ଗେଟରେ କେଉଁ ବଡ଼ ରାଜନେତା ଥିଲେ, ସେକଥା ଜଣାପଡ଼ିନି। ସେହିପରି ସେ ଏକାକୀ ହମଲା କରିବାକୁ ଯୋଜନା କରିଥିଲା ନା ଭାରତରେ ଆଇଏସ୍‌ର କୌଣସି ସଦସ୍ୟ ରହିଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇନି।

nis-ad
Leave A Reply

Your email address will not be published.