ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) କ୍ରିୟାନ୍ୱୟନରେ ସହଯୋଗୀ ହେବ ।

୨୧ ତାରିଖରେ ସିଡ୍‌ନୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ପ୍ରବାସୀ ଭାରତୀୟଙ୍କୁ ଭେଟିବେ । ପରବର୍ତ୍ତୀ ପର୍ଯ୍ୟାୟରେ ୱେଷ୍ଟର୍ଣ୍ଣ ସିଡ୍‌ନୀ ବିଶ୍ୱବିଦ୍ୟାଳୟକୁ ଗସ୍ତ କରିବା ସହ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଅଷ୍ଟ୍ରେଲିଆର ନବନିଯୁକ୍ତ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ସହ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ । ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ଯୋଗଦେଇ ଭାରତର ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ନେଇ ମତ ପ୍ରକାଶ କରିବେ । ପରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ରଖିବାର କାର୍ଯ୍ୟସୂଚୀ ରହିଛି । ଏହାବ୍ୟତୀତ ଅଷ୍ଟ୍ରେଲିଆର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆପ୍ଲାଏ ଟେକ୍‌ନୋଲୋଜିକୁ ଗସ୍ତ କରିବେ । ସିଡ୍‌ନୀଠାରେ ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ଓ ଓଡ଼ିଆ ଲୋକଙ୍କୁ ଭେଟିବେ । ପରେ ଉଲ୍ଲନଗୋଙ୍ଗ୍‌ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଲବର୍ଣ୍ଣ ସ୍ଥିତ କାଙ୍ଗନ୍‌ ଇନଷ୍ଟିଚ୍ୟୁଟ୍‌ ଓ ଡିକିନ୍‌ ୟୁନିଭରସିଟିକୁ ଯିବେ । ପରେ ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀ ବ୍ରିନଡେନ ଓ’ କୋନ୍ନୋରଙ୍କ ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଡ଼ିହେବେ । ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଏକ ବୈଠକରେ ଉପସ୍ଥିତ ରହିବେ । ଅଷ୍ଟ୍ରେଲିଆ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ମୋନାସ୍‌ ବିଶ୍ୱବିଦ୍ୟାଳୟ ଓ କନସୁଲେଟ୍‌ ଜେନେରାଲ ଅଫ୍‌ ଇଣ୍ଡିଆର ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନର କାର୍ଯ୍ୟସୂଚୀ ରହିଛି ।

nis-ad
Leave A Reply

Your email address will not be published.