ଉତ୍ତରାଖଣ୍ଡ : ବାଘୁଣୀ ଆତଙ୍କ ଯୋଗୁଁ ସ୍କୁଲ ଛୁଟି

ଡେରାଡୁନ : ଉତ୍ତରାଖଣ୍ଡ ରାଜ୍ୟର ପାଉରି ଜିଲ୍ଲାରେ ଏକ ପ୍ରାଥମିକ ସ୍କୁଲରେ ବାଘ ଆତଙ୍କ ଦେଖାଦେବାରୁ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ପାଉରିର ଲାନ୍ସଡାଉନି ଟାଉନରେ ଥିବା ଏକ ପ୍ରାକ୍-ପ୍ରାଥମିକ ସ୍କୁଲ ନିକଟରେ ଗତ କିଛି ଦିନ ହେଲା ଏକ (ଚିତା)ବାଘୁଣୀ ନିଜ ଶାବକମାନଙ୍କ ସହ ବୁଲୁଥିବା ଦେଖାଯାଉଛି । ପୁଣି ଏହି ବାଘୁଣୀ କେତେ ଜଣ ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିବା ପରେ ଉକ୍ତ ଅଂଚଳରେ ଆତଙ୍କ ଖେଳିଯାଇଛି ।
ସ୍କୁଲର ଜଣେ ଅଧିକାରୀ କହିଛନ୍ତି ଯେ, ଉକ୍ତ ସ୍କୁଲରେ ୮୫ ଜଣ ଛୋଟ ପିଲା ପଢନ୍ତି । ପିଲାମାନେ ଛୋଟ ହୋଇଥିବାରୁ ସେମାନେ ନିଜର ସୁରକ୍ଷା କରିବାକୁ ସକ୍ଷମ ନୁହନ୍ତି । ଏଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟରେ ରଖି ସ୍କୁଲକୁ ଛୁଟି କରିଦିଆଯାଇଛି ।
ସ୍କୁଲଟି ଗତ ୧୭ ତାରିଖରୁ ବନ୍ଦ ରହିଛି । ସପ୍ତାହାନ୍ତରେ ବି ବନ୍ଦ ରହିବ । ଏହି ସମୟ ମଧ୍ୟରେ ଜଙ୍ଗଲ ବିଭାଗ ଦ୍ବାରା ଏହି ବାଘୁଣୀ ବିପଦର ସମାଧାନ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଉକ୍ତ ସ୍କୁଲଟି ଭାରତୀୟ ସେନା କାଣ୍ଟନମେଣ୍ଟ ନିକଟରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ଅବସ୍ଥିତ । ପୂର୍ବରୁ ବାଘୁଣୀ କେତେକ ସେନା ଯବାନ ଓ ଜଣେ ସ୍କୁଲ ଶିକ୍ଷକଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଆହତ କରିଛି । ଜଙ୍ଗଲ ବିଭାଗ ଅଧିକାରୀମାନେ ଜଙ୍ଗଲ ଓ ଆଖପାଖ ଅଂଚଳରେ କ୍ୟାମେରା ଲଗାଇ ବାଘର ସନ୍ଧାନ ଜାରି ରଖିଛନ୍ତି ।

nis-ad
Leave A Reply

Your email address will not be published.