ଜନ୍ମାଷ୍ଟମୀ ଉତ୍ସବରେ ଅଘଟଣ: ମନ୍ଦିର ଭିତରେ ଅଣନିଶ୍ୱାସୀ ହୋଇ ୨ ମୃତ

ମଥୁରା: ଜନ୍ମାଷ୍ଟମୀ ଉତ୍ସବ ଅବସରରେ ମଥୁରା ମନ୍ଦିରରେ ଅଘଟଣ। ଅତ୍ୟଧିକ ଭିଡ଼ ହେତୁ ଦୁଇ ଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶ ମଥୁରାର ବାଙ୍କ ବିହାରୀ ମନ୍ଦିରରେ ଗତକାଲି ମଧ୍ୟରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଥିବା ପୁଲିସ କହିଛି। ଗତକାଲି ବାଙ୍କ ବିହାରୀ ମନ୍ଦିରରେ ମଙ୍ଗଳା ଆରତୀ ସମୟରେ ଜଣେ ଭକ୍ତ ମନ୍ଦିର ଦ୍ୱାରରେ ଅଚେତ ହୋଇ ପଡ଼ିଥିଲେ। ଫଳରେ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନକୁ ବହୁ ସମୟଧରି ବନ୍ଦ ରଖାଯାଇଥିଲା। ହେଲେ ଜନ୍ମାଷ୍ଟମୀ ଅବସରେ ପ୍ରବଳ ଗହଳି ଥିବାରୁ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଯାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବହୁ ସଂଖ୍ୟାରେ ଜନସମାଗମ ହେତୁ ମନ୍ଦିର ଭିତରେ ଅନେକ ଭକ୍ତ ରହିଯାଇଥିଲେ।
ଅନ୍ୟପଟେ ଗତକାଲି ପ୍ରବଳ ଗରମ ମଧ୍ୟ ଅନୁଭୂତ ହୋଇଥିଲା। ଭିତରେ ଆର୍ଦତା ଅଧିକ ହେତୁ ଅଣନିଶ୍ୱାସୀ ହୋଇ ୨ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ସେହିପରି ଆହତଙ୍କ ଲୋକଙ୍କ ଚିକିତ୍ସା ପାଇଁ ସବୁପ୍ରକାର ପ୍ରଶାସନକି ସହାୟତା ପାଇଁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ କୌଣସି ଅଘଟଣକୁ ଏଡ଼ାଇ ଦେଇ ହେବ। ମୃତକଙ୍କ ପ୍ରତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ବାଙ୍କ ବିହାରୀ ମନ୍ଦିର କମ୍ପ୍ଲେକ୍ସରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଯେଉଁ ପରିବାର ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ସୁସ୍ଥ ରଖନ୍ତୁ।

nis-ad
Leave A Reply

Your email address will not be published.