କେଉଁଠ ଅଛନ୍ତି ବାବା ନିତ୍ୟାନନ୍ଦ, କୋର୍ଟ ଜାରିକଲେ ଜାମିନ ବିହୀନ ଗିରଫ ପରୱାନା

ବେଙ୍ଗାଲୁରୁ: ଆତ୍ମଘୋଷିତ ଭଗବାନ ତଥା ଏକ ଦୁଷ୍କର୍ମ ମାମଲାରେ ଫେରାର ଥିବା ବାବା ନିତ୍ୟାନନ୍ଦଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ୨୦୧୦ ମସିହାରେ ହୋଇଥିବା ଦୁଷ୍କର୍ମ ମାମଲାରେ ବେଙ୍ଗାଲୁରୁ ରାମନଗରର ଏକ ସେସନ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା। ହେଲେ ପୁଲିସ ତାଙ୍କ ସନ୍ଧାନ ପାଇବାରେ ବିଫଳ ହୋଇଥିଲା। ଉକ୍ତ ଦୁଷ୍କର୍ମ ମାମଲାରେ କୋର୍ଟରେ ଟ୍ରାଏଲ ଚାଲିଥିବା ବେଳେ ୩ ଜଣ ସାକ୍ଷୀ ମଧ୍ୟ ବୟାନ ଦେଇଛନ୍ତି । କିନ୍ତୁ ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ଅନୁପସ୍ଥିତ ଯୋଗୁ ୩ ବର୍ଷ ହେବ ବିଚାର ଆଗେଇ ପାରୁ ନାହିଁ।
୨୦୧୯ରୁ ନିତ୍ୟାନନ୍ଦଙ୍କୁ ଯେତେଥର ସମନ ହୋଇଛି ସେ କୌଣସିରେ ଉତ୍ତର ଦେଇ ନାହାନ୍ତି। ଗତକାଲି ଜାରି ହୋଇଥିବା ୱାରେଣ୍ଟର ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଅବଧି ରହିଛି। ଅର୍ଥାତ ପୁଲିସକୁ ଏହି ସମୟ ସୀମା ମଧ୍ୟରେ ଅଭିଯୁକ୍ତଙ୍କୁ ଆଣି କୋର୍ଟରେ ହାଜର କରିବାକୁ ପଡ଼ିବ। ଯଦି ପୁଲିସ ବିଫଳ ହୁଏ ତେବେ କୋର୍ଟ ପରବର୍ତ୍ତୀ ଆଇନଗତ ବିଚାର ଶୁଣାଇ ପାରନ୍ତି। ୨୦୧୦ମସିହାରେ ବାବା ନିତ୍ୟାନନ୍ଦଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା।
ନିତ୍ୟାନନ୍ଦଙ୍କ ପୂର୍ବତନ ଡ୍ରାଇଭର ଲେନିନ ଏହି ଅଭିଯୋଗ ଆଣିବା ପରେ ନିତ୍ୟାନନନ୍ଦ ଗିରଫ ହୋଇଥିଲେ। ପରେ ସେ ବେଲ୍‌ରେ ଆସିଥିଲେ। ଏହାପରେ ଲେନିନଙ୍କ ଅଭିଯୋଗ କ୍ରମେ ୨୦୨୦ରେ ବାବା ନିତ୍ୟାନ୍ଦଙ୍କ ଜାମିନ ରଦ୍ଦ ହୋଇଥିଲା। ଏଥିରେ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇଯାଇଥିବା ଦର୍ଶାଯାଇଥିଲା। କୁହାଯାଉଛି ନିତ୍ୟାନନ୍ଦ ଦେଶ ଛାଡ଼ି ଯେଉଁଠି ଆଶ୍ରମ କରିଛନ୍ତି ତାର ନାଁ କୈଳାସ ରଖିଛନ୍ତି। କିନ୍ତୁ କେଉଁ ଦେଶରେ ରହୁଛନ୍ତି ତାହା ଜଣାପଡ଼ି ନାହିଁ। ଏହାକୁ ନେଇ ସପେନ୍ସ ଜାରି ରହିଥିବା ବେଳେ ସେ ଦକ୍ଷିଣ ଆମେରିକାର ଇକ୍ୱେଡର ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱୀପରେ ରହୁଥିବା କୁହାଯାଉଛି । ତାହାକୁ ଏକ ସ୍ୱତନ୍ତ୍ର ଦେଶ କୈଳାସ ବୋଲି ଘୋଷଣା କରିଛନ୍ତି ।
ଏହାକୁ ସେ ଏକ ସଂପୂର୍ଣ୍ଣ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିଛନ୍ତି। ଏହି ତଥାକଥିତ ରାଷ୍ଟ୍ରରେ ନାଗରିକତା ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ଆମନ୍ତ୍ରଣ କରିଛି ଓ ନିଜେ ସ୍ୱତନ୍ତ୍ର ପାସପୋର୍ଟ ମଧ୍ୟ ଜାରି କରୁଛି । ଏହି ଦ୍ୱୀପରାଷ୍ଟ୍ରର ଏକ ସ୍ୱତନ୍ତ୍ର ପତାକା ରହିଛି । ପତାକାରେ ନିତ୍ୟାନନ୍ଦଙ୍କ ଚିତ୍ର ଓ ପାଖରେ ଏକ ବୃଷଭ ମଧ୍ୟ ରହିଛି । ଏହାର ଏକ ୱେବସାଇଟ ମଧ୍ୟ ରହିଛି । ତାହାର ନାଁ ହେଉଛି କୌଳାସ ଡଟ ଓଆରଜି । ସନାତନ ହିନ୍ଦୁଧର୍ମର ସୁରକ୍ଷା, ଏହାର ପରମ୍ପରା ରକ୍ଷା କରିବା ପାଇଁ ଏହି ଦେଶର ନାଗରିକତ୍ୱ ନେବା ସହ ସହାୟତା କରିବାକୁ ଏହି ୱେବସାଇଟରେ ନିବେଦନ କରାଯାଇଛି ।

nis-ad
Leave A Reply

Your email address will not be published.