ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି : ସିବିଆଇ ଏଫଆଇଆରରେ ୧୫ ଜଣଙ୍କ ନାମ, ସିସୋଦିଆ ମୁଖ୍ୟଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ହୋଇଥିବା ଲିକର ପଲିସୀ (ଅବକାରୀ ନୀତି) ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ରୁଜ୍ଜୁ ହୋଇଥିବା ଏଫଆଇଆରରେ ୧୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ୧୫ ଜଣଙ୍କ ତାଲିକାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଥମ ଅଭିଯୁକ୍ତଭାବେ ଦର୍ଶାଯାଇଛି ।
ଏହି ଏଫଆଇଆରରେ ୩ ଜଣ ଅଧିକାରୀଙ୍କ ନାମ ରହିଛି । ସେମାନେ ହେଉଛନ୍ତି ପୂର୍ବତନ ଅବକାରୀ କମିସନର ଏ. ଗୋପୀକୃଷ୍ଣ, ଡେପୁଟି କମିସନର ଆନନ୍ଦ ତିଓ୍ବାରୀ ଓ ସହକାରୀ କମିସନର ପଙ୍କଜ ଭଟ୍ଟନାଗର । ସିବିଆଇ ପକ୍ଷରୁ ଦର୍ଶାଯାଇଛି ଯେ ଦିଲ୍ଲୀର ଅବକାରୀ ନୀତି ପ୍ରସ୍ତୁତି କ୍ଷେତ୍ରରେ ମଦ କମ୍ପାନି ଓ ମଧ୍ୟସ୍ଥିମାନଙ୍କର ସକ୍ରିୟ ଭୂମିକା ରହିଥିଲା । ସିବିଆଇ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ, ମନୀଷଙ୍କ ନିକଟତମ ଭାବେ ଜଣାଶୁଣା ଅମିତ ଆରୋରା, ଦିନେଶ ଆରୋରା ଓ ଅର୍ଜୁନ ପାଣ୍ଡେ ମଦ ଲାଇସେନ୍ସରୁ କମିସନ ସଂଗ୍ରହ କରି ଅଭିଯୁକ୍ତମାନଙ୍କୁ ପ୍ରଦାନ କରୁଥିଲେ ।
ମନୀଷ ସିସୋଦିଆ ଅବକାରୀ ନୀତିକୁ ଏପରି ଭାବେ ପ୍ରସ୍ତୁତ କରିଥିଲେ ଯେ ମଦଲାଇସେନ୍ସ ପ୍ରଦାନ ପାଇଁ ଉପରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ ବୋଲି ସିବିଆଇ ଅଭିଯୋଗ କରିଛି । ଏହି ନୀତି ଗତ ନଭେମ୍ବର ମାସରେ ଆଗତ ହୋଇଥିଲା ଓ ଉପ-ରାଜ୍ୟପାଳ ଭି.ଆର.ସାକ୍ସେନାଙ୍କ ଦ୍ବାରା ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଗତ ଜୁଲାଇ ମାସରେ ଏହାକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରିନେଇଥିଲେ । ଶୁକ୍ରବାର ସକାଳେ ସିବିଆଇ ସିସୋଦିଆଙ୍କ ବାସଭବନ ଓ ଅଫିସରେ ଚଢଉ କରିଥିଲା । ସିବିଆଇର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ମନିଷ ସିସୋଦିଆ । ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି (ଆପ୍ ) ପକ୍ଷରୁ ମୋଦୀ ସରକାରଙ୍କ ଉପରେ ଏକ ବଡ଼ ଅଭିଯୋଗ କରାଯାଇଛି । ଆପ୍ ସାଂସଦ ରାଘବ ଚଢା କହିଛନ୍ତି ଯେ, ମୋଦୀ ସରକାର ଦିଲ୍ଲୀ ସରକାରଙ୍କ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଲାଭ କରିଥିବା ଶିକ୍ଷା ଓ ସ୍ବାସ୍ଥ୍ୟ ମଡେଲକୁ ଧ୍ବଂସ କରିବାକୁ ଚାହୁଁଛନ୍ତି ।

nis-ad
Leave A Reply

Your email address will not be published.