ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ମଡେଲକୁ ପ୍ରଶଂସା

ନୂଆଦିଲ୍ଲୀ: ଆମେରିକା ତଥା ବିଶ୍ୱର ଅନ୍ୟତମ ଅଗ୍ରଣୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ସରକାରଙ୍କ ସ୍କୁଲ ବ୍ୟବସ୍ଥାକୁ ପ୍ରଶଂସା କରି ରିପୋର୍ଟ ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବାର ଦିନକରେ ଆଜି ଦିଲ୍ଲୀ ଶିକ୍ଷା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ କରିଛି।
ଦିଲ୍ଲୀରେ ଲାଗୁ ହୋଇ ପରେ ରଦ୍ଦ ହୋଇଥିବା ନୂଆ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗ କରି ସିବିଆଇ ଏପରି ରେଡ୍‌ କରିଛି। ଏହାକୁ ନେଇ ଦିଲ୍ଲୀର କ୍ଷମତାସୀନ ଆପ୍‌ ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି ମୁହାଁମୁହିଁ ହୋଇଛନ୍ତି।
ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ମଡେଲକୁ ପ୍ରଶଂସା କରାଯାଇଥିବାରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସିସୋଦିଆଙ୍କୁ ବଦନାମ କରିବା ପାଇଁ ସିବିଆଇ ପଠାଇଥିବା ଆପ୍‌ ଅଭିଯୋଗ କରିଛି। ହେଲେ ବିଜେପି ଏହାକୁ କାଉଣ୍ଟର କରି ନ୍ୟୁର୍କ ଟାଇମ୍ସରେ ପ୍ରକାଶିତ ଖବରକୁ ପେଡ୍‌ ନ୍ୟୁଜ ବା ଦିଲ୍ଲୀ ସରକାର ଟଙ୍କା ଦେଇ ନିଜର ପ୍ରଶଂସା କରାଇଛନ୍ତି ବୋଲି ଅଭିଯୋଗ କରିଛି।
ଏହାକୁ ଆପ୍‌ ଖଣ୍ଡନ କରିଛି। ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, “ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ଯେ ସେମାନେ ଯେତେ ଟଙ୍କା ଖର୍ଚ୍ଚ କରନ୍ତୁ ଓ ନିଜର କ୍ଷମତା ବ୍ୟବହାର କରି ନ୍ୟୁୟର୍କ ଟାଇମ୍ସରେ ଗୋଟିଏ ଆର୍ଟିକିଲ ବାହାର କରି ଦେଖାନ୍ତୁ।”
ବିଜେପିର ଏକାଧିକ ନେତା ଆପ୍‌ ଟଙ୍କା ଦେଇ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ କରଥିବା ଅଭିଯୋଗ କରିବା ପରେ ଭରଦ୍ୱାଜ ଏପରି ଚ୍ୟାଲେଞ୍ଜ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ମୀନାକ୍ଷି ଲେଖି କହିଥିଲେ ଯେ “କେଜ୍ରିୱାଲ ନିଜେ ସ୍ୱୀକାର କରିଛନ୍ତି ଯେ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ କରିବା ଆଦୌ ସହଜ ନୁହେଁ। ଆପଣ କେତେ ଦିନ ଯାଏ ଲୋକଙ୍କ ଟଙ୍କା ନିଜର ବିଜ୍ଞାପନ ପାଇଁ ଖର୍ଚ୍ଚ କରିବେ? ଚିଫ ମିନିଷ୍ଟର ନା ଚିଫ ମାର୍କେଟର?”
ଏହାପୂର୍ବରୁ କେଜ୍ରିୱାଲ ନିଜର ଭିଡିଓ ବାର୍ତ୍ତାରେ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ମଡେଲକୁ ପ୍ରଶଂସା କରାଯାଇଥିବା କଥା କହିଥିଲେ। ସିସୋଦିଆଙ୍କ ଶିକ୍ଷା ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଉଥିବାରୁ କେନ୍ଦ୍ର ସରକାର ତାଙ୍କୁ ଟାର୍ଗେଟ କରିଥିବା ସେ ଅଭିଯୋଗ କରିଥିଲେ। ନ୍ୟୁୟର୍କ ଟାଇମ୍ସରେ ଯେଉଁ ଖବର ବାହାରିଛି ସମାନ ଫଟୋ ଓ ଖବର ଖଲୀଜ ଟାଇମ୍ସରେ ମଧ୍ୟ ପ୍ରକାଶ ପାଇଛି।
ଏହାକୁ ନେଇ ବିଜେପି ନେତାମାନେ ଆପ୍‌କୁ ଟାର୍ଗେଟ କରିଛନ୍ତି ଓ ଟଙ୍କା ଦେଇ ଉଭୟ ଖବରକାଗଜରେ ଆପ୍‌ ସରକାର ବିଜ୍ଞାପନ ଦେଇଥିବା ସେମାନେ ଅଭିଯୋଗ କରିଥିଲେ। ଏହାର ଜବାବରେ ଭରଦ୍ୱାଜ କହିଛନ୍ତି, “ବିଜେପି ନେତାମାନେ ଜାତୀୟ ଟିଭିରେ ମିଛ କହୁଛନ୍ତି। ନ୍ୟୁୟର୍କ ଟାଇମ୍ସ ଏହି ଖବର ପାଇଁ ତା’ର କର୍ମଚାରୀ କରନଦୀପ ସିଂହଙ୍କୁ ଶ୍ରେୟ ଦେଇଛି। ତାଙ୍କ ନାଁରେ ଖବର ପ୍ରକାଶ ପାଇଛି। ଖଲୀଜ ଟାଇମ୍ସ ନ୍ୟୁଜ ପ୍ରକାଶ କରି ତଳେ ସୌଜନ୍ୟ ନ୍ୟୁୟର୍କ ଟାଇମ୍ସ ବୋଲି ଲେଖିଛି। ଏହାକୁ ବିଜେପି ନେତାମାନେ ଦେଖିପାରୁ ନାହାନ୍ତି।”

nis-ad
Leave A Reply

Your email address will not be published.