ବନ୍ୟାରେ କେନ୍ଦ୍ରାପଡ଼ାର ୮୬ଟି ଗାଁ ପ୍ରଭାବିତ, ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ

କେନ୍ଦ୍ରାପଡା: ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି । ଏନେଇ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟାର ସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ । ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ସଭାଗୃହରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ବନ୍ୟା ସମୟର କାର୍ଯ୍ୟପନ୍ଥା ଓ ପଦକ୍ଷେପ ଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅନ୍ୟପଟେ ମହାନଦୀରେ ବନ୍ୟା ଜଳ ଆସିବା ହେତୁ କେନ୍ଦ୍ରାପଡ଼ା ଜିଲ୍ଲାର ଲୁଣା, କରାଣ୍ଡିଆ, ପାଇକା ଓ ଚିତ୍ରୋତ୍ପଳା ନଦୀରେ ଜଳସ୍ତର ବୃଦ୍ଧି ହୋଇ ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର ଓ ଡେରାବିଶ୍, ରାଜକନିକା, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ବ୍ଲକର ମୋଟ 34ଟି ପଞ୍ଚାୟତର 86ଟି ଗାଁ ପ୍ରଭାବିତ ହୋଇଛି ।

ଏଥିସହ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର 6ଟି ୱାର୍ଡ ପ୍ରଭାବିତ ହୋଇଥିବା ମନ୍ତ୍ରୀ ଦ୍ବୟଙ୍କୁ ଅବଗତ କରାଇଥିଲେ ଜିଲ୍ଲାପାଳ । ସେହିପରି ବନ୍ୟା ଯୋଗୁଁ 89983ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 29ଟି ବାତ୍ୟା ଆଶ୍ରୟସ୍ଥଳୀରେ 5369 ଜଣଙ୍କୁ ଥଇଥାନ କରାଯାଇଛି । ସେମାନଙ୍କୁ ସେଠାରେ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆଯାଉଥିବା ସୂଚନା ମିଳିଛି । 13759ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ମୋଟ 24ଟି କଚ୍ଚା ଘର ଓ ଗାଈଗୁହାଳ ଭାଙ୍ଗିଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ବନ୍ୟାର ମୁକାବିଲା ପାଇଁ ପ୍ରଶାସନିକ ପଦକ୍ଷେପ ଯଥେଷ୍ଟ ରହିଥିବା ବେଳେ ଆଗକୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.