ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇ ବିଶ୍ୱ ରେକର୍ଡ

ଜୟପୁର: ବିଶ୍ୱ ରେକର୍ଡ କରିଛି ରାଜସ୍ଥାନ। ଦେଶରେ ଅମୃତ ମହୋତ୍ସବ ଚାଲିଥିବା ବେଳେ ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପିଲା ସାମିଲ ହୋଇଥିଲେ। ପୂରା ରାଜ୍ୟରେ ୧ କୋଟି ପିଲା ସକାଳ ୧୦.୧୫ରୁ ୧୦.୪୫ ଯାଏ ବିଭିନ୍ନ ଦେଶାତ୍ମକବୋଧ ଗୀତ ଗାନ କରି ବିଶ୍ୱ ରେକର୍ଡ କରିଥିବା ରାଜସ୍ଥାନ ସରକାର ସୂଚନା ଦେଇଛନ୍ତି।

ସରକାରଙ୍କ କହିବା କଥା, ଜୟପୁରର ଏସ୍‌ଏମଏସ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୨୫ରୁ ୩୦ ହଜାର ସ୍କୁଲ ପିଲା ସାମିଲ ହୋଇଥିଲେ। ଷ୍ଟାଡିମୟରେ ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜ୍ୟ ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ବିଭାଗ ସହ ଜଡ଼ିତ ଅଧିକାରୀମାନେ ଉପସ୍ଥିତ ରହିଥିଲେ। କେବଳ ଜୟପୁର ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଗୋଟିଏ ସମୟରେ ସମାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ। ସେସବୁ କାର୍ଯ୍ୟକ୍ରମରେ ମଧ୍ୟ ଲକ୍ଷାଧିକ ପିଲା ସାମିଲ ହୋଇଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ ଅଧୀନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୋଟ କୋଟିଏ ସ୍କୁଲ ପିଲା ଯୋଗ ଦେଇ ଦେଶ ପାଇଁ ଗୀତ ଗାଇଛନ୍ତି।

ସେମାନେ ସକାଳ ୧୦.୧୫ରୁ ୧୦.୪୫ ଯାଏ ମିଳିତ ଭାବେ ବନ୍ଦେ ମା’ ତରମ, ଜାତୀୟ ସଂଗୀତ ଜନ ଗଣ ମନ, ସାରେ ଜାହାନସେ ଆଚ୍ଛା ଓ ହମ ହୋଙ୍ଗେ କାମିୟାବ ଭଳି ଏକାଧିକ ଦେଶାତ୍ମକବୋଧ ଗୀତ ବୋଲିଛନ୍ତି। ବିଶ୍ୱର କୌଣସି ପ୍ରାନ୍ତରେ ଏକକାଳୀନ ଏତେ ପିଲା ଏକାଠି ଦେଶାତ୍ମକବୋଧ ଗୀତ ପରିବେଷଣ କରି ନଥିଲେ। ହେଲେ ରାଜସ୍ଥାନର ପିଲାମାନେ ଗୋଟିଏ ଅସାଧାରଣ କାମ କରି ବିଶ୍ୱ ରେକର୍ଡ କରିଛନ୍ତି।

ବିଶ୍ୱ ରେକର୍ଡ ପାଇଁ ୱାର୍ଲ୍ଡ ବୁକ ଅଫ ରେକର୍ଡସର ଉପ ସଭାପତି ପ୍ରଥମ ଭଲ୍ଲା ନିଜେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଗୋଟିଏ ପ୍ରମାଣପତ୍ର ଦେଇଛନ୍ତି। ଗେହଲଟ ମଧ୍ୟ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥିବା ରାଜ୍ୟ ଶିକ୍ଷା ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।

nis-ad
Leave A Reply

Your email address will not be published.