ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ : ୯ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୦।୮ ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ବନ୍ଦ କରାଯାଇଛି।

ଏଥିରେ ଜଣେ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିୟର ଇଞ୍ଜିନିୟର, ଜଣେ ଓଏଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ସଂଗଠକ ରହିଛନ୍ତି । ଏପର୍ଯ୍ୟନ୍ତ ୧୭୩ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଚାକିରୀରୁ ବହିଷ୍କୃତ ହୋଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଣ୍ଟେଣ୍ଡେ ଇଞ୍ଜିନିୟର ଆଶିଷ କୁମାର ଦାଶ। ସେ କଣ୍ଟ୍ରାକ୍ଟରମାନଙ୍କ ଠାରୁ ୧୦.୨୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍‌ସ ଦ୍ବାରା ଧରା ପଡିଥିଲେ। ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଉପରେ ଚଢାଉ କଲା ପରେ ୮.୬୩ କୋଟି ଟଙ୍କାର ସଂପତ୍ତି ଓ ୧.୪ କୋଟି ନଗଦ ଟଙ୍କା ଜବତ କରାଯାଇଥିଲା। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ମାନସ ରଂଜନ ମହାନ୍ତି ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ତାଙ୍କ ବିରୁଦ୍ଧରେ ଦୁଇଟି ବିଭାଗୀୟ ତଦନ୍ତ ମଧ୍ୟ ଚାଲିଥିଲା। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ମନୋଜ କୁମାର ବେହେରା ଓ ତାଙ୍କ ପତ୍ନୀଙ୍କ ନାମରେ ୪.୨୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଭିଜିଲାସନ୍‌ ମାମଲା ଚାଲିଥିଲା । ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି କେନ୍ଦୁଝର ଜିଲ୍ଲା ସାଳପଡାସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଉମେଶ କୁମାର ଶାଶିନୀଙ୍କ ବିରୁଦ୍ଧରେ ୧.୪୨ କୋଟି ଟଙ୍କାରୁ ଅଧିକ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଦୁର୍ନୀତି ମାମଲା ରହିଛି । ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଉମରକୋଟ ସଡକ ଓ କୋଠାବାଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଶୁଦ୍ଧାନନ୍ଦ ବେହେରାଙ୍କ ନାମରେ ନିମ୍ନମାନର କାମ କରିବାର ଅଭିଯୋଗ ଥିଲା। ଏହାସହିତ ତାଙ୍କ ନାମରେ ୭୦.୯୩ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲ ରହିଛି। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଜଳଧର ମଲ୍ଲିକଙ୍କ ନାମରେ ଗୋଟିଏ ବଦଳି କେସ୍‌ରେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ ମାମଲ ଥିଲା। ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ଡେପୁଟି କଲେକ୍ଟର ଥିବା ଓ ମୟୁରଭଂଜ ଜିଲ୍ଲାର ସାମାଖୁଣ୍ଟା ବ୍ଲକ୍‌ର ପୂର୍ବତନ ତହସିଲଦାର ଓ.ଏ.ଏସ ଅଧିକାରୀ ସବିତା ସାହୁଙ୍କ ନାମରେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ ମାମଲା ଥିଲା। ଏହି କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ ପ୍ରଭାସିନୀ ବାବୁ ସ୍ବାମୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ପୂର୍ବତନ ଜୁନିଅର ଇଞ୍ଜିନିୟର ତ୍ରିନାଥ ସେଠୀଙ୍କ ପେନ୍‌ସନ୍‌କୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

nis-ad
Leave A Reply

Your email address will not be published.