ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା: ସିଇସି

ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ତେବେ ଅଗଷ୍ଟ ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନୂତନ ଲଘୁଚାପ ଅଗଷ୍ଟ ୧୪ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ଅଗଷ୍ଟ ୧୨ ତାରିଖ ରାତିରୁ ଆରମ୍ଭ ହୋଇ ଏହାର ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ, ଅନୁଗୁଳ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏହି ଲଘୁଚାପର ପ୍ରଭାବ ରହିବ ।

ଅଗଷ୍ଟ ୧୪ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୋନ୍‌ପୁର, ବୌଦ୍ଧ, ଦେବଗଡ଼, କନ୍ଧମାଳ, ନବରଙ୍ଗପୁର ଏବଂ ଅନୁଗୁଳରେ ପ୍ରଭାବ ପକାଇବ । ଅଗଷ୍ଟ ୧୫ ତାରିଖ ବେଳକୁ ଯଦିଓ ବର୍ଷାର ପରିମାଣ କମିବ ତଥାପି ରାଜ୍ୟ ସାରା ଏହି ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଯେଉଁ ଅବପାତ ଲଘୁଚାପରେ ପରିଣତ ହୋଇଥିଲା ତାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇ ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଅଗଷ୍ଟ ୧୮ କିମ୍ବା ୧୯ ତାରିଖ ବେଳକୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଲଘୁଚାପ ସୃଷ୍ଟି ହେବାର କୌଣସି ସୂଚନା ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.