ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଲକ୍ଷ୍ୟ ଓ ସିନ୍ଧୁ


ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନଟି ଭାରତ ପାଇଁ ସ୍ମରଣୀୟ ଦିନରେ ପରିଣତ ହେବାକୁ ଯାଉଛି । ଆଜି ବ୍ୟାଡମିଣ୍ଟନରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିବା ପରେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ୨୦ ବର୍ଷୀୟ ଲକ୍ଷ୍ୟ ସେନ । ନିଜର ପ୍ରଥମ ରାଜ୍ୟଗୋଷ୍ଠୀ ପଦାର୍ପଣରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ସେ ଭାରତ ପାଇଁ ନୂଆ ଆଶା ସୃଷ୍ଟି କରିଛନ୍ତି ।
ସୋମବାର ଖେଳାଯାଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଲକ୍ଷ୍ୟ ସେନ ମାଲେସିଆର ଏନଜି ଜେ ୟଙ୍ଗଙ୍କୁ ହରାଇଥିଲେ । ମ୍ୟାଚର ପ୍ରଥମ ଗେମଟିକୁ ହାରିଯିବା ସତ୍ତ୍ବେ ପରବର୍ତ୍ତୀ ୨ଟି ଗେମରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଯାଇଥିଲେ ଲକ୍ଷ୍ୟ ।
ପ୍ରଥମ ଗେମରେ ସେ ୧୯-୨୧ ସେଟରେ ହାରିଯାଇଥିଲେ । ଏପରିକି ୨ୟ ଗେମରେ ବି ସେ ପ୍ରଥମରୁ ପଛୁଆ ଥିଲେ । ତେବେ ଲଗାତାର ୧୩ଟି ପଏଣ୍ଟ ହାସଲ କରି ସେ ଏହାକୁ ୨୧-୯ରେ ଜିତିନେଇଥିଲେ । ୩ୟ ଗେମରେ ଲକ୍ଷ୍ୟ ନିଜର ବିଜୟ ଧାରାକୁ ଜାରି ରଖିଥିଲେ ଓ ୨୧-୧୬ରେ ଜିତିଯାଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ସେ ୧୯-୨୧,୨୧-୯ ଓ ୨୧-୧୬ରେ ବିଜୟୀ ହୋଇ ସ୍ବର୍ଣ୍ଣ ହାତେଇଥିଲେ ।
ପୂର୍ବରୁ ପ୍ରକାଶ ପାଦୁକୋନ (୧୯୭୮),ସୟେଦ ମୋଦୀ (୧୯୮୨) ଓ ପାରୁପାଲି କଶ୍ୟପ (୨୦୧୪)ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡମିଣ୍ଟନରେ ସିଙ୍ଗଲ୍ସ ସୁନା ଜିତିଥିଲେ ।
ଅନ୍ୟପକ୍ଷରେ ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ସ୍ବର୍ଣ୍ଣ ସଫଳତା ହାସଲ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କର ୩ୟ ସିଙ୍ଗଲ୍ସ ପଦକ ତଥା ପ୍ରଥମ ସ୍ବର୍ଣ୍ଣ ପଦକ ।
ସୋମବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ଥିଲା । କାରଣ ଏହି ମ୍ୟାଚ ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ବିଶ୍ବର ନଂ୧୩ ମାନ୍ୟତା ପ୍ରାପ୍ତ ତଥା ପୂର୍ବତନ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣପଦକ ବିଜୟିନୀ ମିସେଲ ଲିଙ୍କ ମଧ୍ୟରେ ହେବାର ଥିଲା । ସିନ୍ଧୁ ପ୍ରଥମ ଗେମକୁ ସିଧାସଳଖ ୨୧-୧୫ ସେଟରେ ଜିତି ନେଇଥିଲେ । ୨ୟ ଗେମରେ ପ୍ରତ୍ୟାବର୍ତ୍ତନ କରିବାକୁ ଲି ଚେଷ୍ଟା କରିଥିଲେ ବି ସିନ୍ଧୁଙ୍କ ଆଗରେ ବେଶୀସମୟ ତିଷ୍ଠି ପାରିନଥିଲେ । ୨ୟ ଗେମକୁ ବି ସିନ୍ଧୁ ୨୧-୧୩ ସେଟରେ ଜିତି ନେଇଥିଲେ ଓ ଐତିହାସିକ ସ୍ବର୍ଣ୍ଣକୁ ହାସଲ କରିଥିଲେ ।
ଆଜିର ସ୍ବର୍ଣ୍ଣ ପଦକ ବିଜୟ ସହ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତ ନିଜର ସ୍ବର୍ଣ୍ଣ ପଦକ ଖାତା ଖୋଲିଛି । ତେବେ ଡବଲ୍ସ ବର୍ଗରେ ପୂର୍ବରୁ ହିଁ ଭାରତ ଏକ ପଦକ ନିଶ୍ଚିତ କରିସାରିଛି । ଟ୍ରିସା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଯୋଡ଼ି ଅଷ୍ଟ୍ରେଲିଆର ଓ୍ବେଣ୍ଡି ସିଆନ ୟୁ ଚେନ ଓ ଗ୍ରୋନ୍ୟା ସମରଭିଲ୍ଲେଙ୍କୁ ହରାଇ କାଂସ୍ୟ ଜିତିସାରିଛି । ସେହିପରି ପୁରୁଷ ସିଙ୍ଗଲସରେ କାଦମ୍ବି ଶ୍ରୀକାନ୍ତ ମଧ୍ୟ କାଂସ୍ୟ ଜିତିଛନ୍ତି ।

nis-ad
Leave A Reply

Your email address will not be published.