ମଣିପୁରରେ ୧୪୪ ଧାରା ଲାଗୁ, ୫ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ଇମ୍ଫାଲ: ମଣିପୁରରେ ତୀବ୍ର ହେଉଛି ବିରୋଧ। ସଙ୍ଗଠନ ନେତାଙ୍କ ମୁକ୍ତିକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମଣିପୁରରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ୫ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।
ମଣିପୁରର ବିଷ୍ଣୁପୁରରେ ଏକ ସମ୍ପ୍ରଦାୟର ୩ରୁ ୪ ଜଣ ଯୁବକ ଭ୍ୟାନ୍‌ରେ ନିଆଁ ଲଗାଇଦେବା ପରେ ରାଜ୍ୟରେ ତୀବ୍ର ସାମ୍ପ୍ରଦାୟିକ ହିଂସା ଓ ଅସ୍ଥିର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିବା ସହିତ ଚୁରାଚାନ୍ଦପୁର ଏବଂ ବିଷ୍ଣୁପୁର ଜିଲ୍ଲାରେ ଶନିବାର ସନ୍ଧ୍ୟାରୁ ଆରମ୍ଭ କରି ଆଗାମୀ ଦୁଇ ମାସ ଯାଏ ୧୪୪ ଧାରା ଲାଗୁ କରାଯାଇଛି।
ସୂଚନା ମୁତାବକ, ଶନିବାର ରାଜ୍ୟ ସରକାର ଦ୍ୱାରା ଆଗତ ନୂଆ ବିଲ୍‌କୁ ବିରୋଧ କରି ଅଲ୍‌ ଆଦିବାସୀ ଛାତ୍ର ସଙ୍ଗଠନ ମଣିପୁରର ଇମ୍ଫାଲରେ ଜୋରଦାର ହଙ୍ଗାମା କରିଥିଲେ। ଆଦିବାସୀ ଛାତ୍ରମାନଙ୍କ ସଂଗଠନ ଦ୍ୱାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଏହି ସମୟରେ ଛାତ୍ର ସଙ୍ଗଠନ ଭଙ୍ଗାରୁଜା କରିବା ସହ କେତେକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହି ବିକ୍ଷୋଭକୁ ବନ୍ଦ କରିବା ପାଇଁ ପୁଲିସ ଚେଷ୍ଟା କରିଥିଲା। ଏଥିରେ ଛାତ୍ର ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ୩୦ରୁ ଅଧିକ ଛାତ୍ର ଆହତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରୁ ପାଞ୍ଚ ଜଣ ଆଦିବାସୀ ଛାତ୍ର ନେତାଙ୍କୁ ଗିରଫ କରି ୧୫ ଦିନ ପାଇଁ ରିମାଣ୍ଡରେ ପଠାଇଥିଲା। ବର୍ତ୍ତମାନ ଛାତ୍ର ସଂଗଠନ ଏହି ଗିରଫ ନେତାମାନଙ୍କୁ ମୁକ୍ତ କରିବାକୁ ଦାବି କରୁଛି।
ପୂର୍ବରୁ ଆଦିବାସୀ ଛାତ୍ର ସଂଗଠନ ପାହାଡ ଅଞ୍ଚଳରେ ତତ୍କାଳ ଏବଂ ଅଧିକ ସ୍ୱଧୀନତା ଦାବି କରି ବନ୍ଦ ଡାକରା ଦେଇଥିଲେ। ମଣିପୁରର ଆଦିବାସୀ ଗୋଷ୍ଠୀ ବିଧାନସଭାରେ ଏଡିସି (ସଂଶୋଧନ) ବିଲ୍ ୨୦୨୧ ପ୍ରଣୟନ କରିବାକୁ ଦାବି କରିଆସୁଛନ୍ତି। ଆଦିବାସୀ ଅଞ୍ଚଳକୁ ଅଧିକ ସ୍ୱାଧୀନତା ଦେବା ଏହି ବିଲ୍‌ର ଉଦ୍ଦେଶ୍ୟ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ବିରୋଧ ଆରମ୍ଭ ହୋଇଥିଲା ଏବଂ ଏହା ଆହୁରି ତୀବ୍ର ହେବ ବୋଲି ଆଶା କରାଯାଉଛି। ମଣିପୁର (ହିଲ୍ ଏରିଆ) ଜିଲ୍ଲା ପରିଷଦ ଷଷ୍ଠ ଏବଂ ସପ୍ତମ ସଂଶୋଧନ ବିଲ୍ ମଙ୍ଗଳବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ନେତୃତ୍ୱରେ ବିଜେପି ସରକାରଙ୍କ ଦ୍ୱାରା ଆଗତ କରାଯାଇଛି। ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ଏହି ବିଲ୍ ସେମାନଙ୍କ ଦାବି ସହିତ ମେଳ ଖାଉ ନାହିଁ। କୌଣସି ଘୋଷଣା ବିନା ନୂତନ ସଂଶୋଧନ ଆଣିବା ପରେ, ATSUM ମଙ୍ଗଳବାର ଠାରୁ ଆଦିବାସୀ ପ୍ରାଧାନ୍ୟ କଙ୍ଗପୋକପି ଏବଂ ସୋନପତିରେ ସମ୍ପୂର୍ଣ୍ଣ ବନ୍ଦ କରି ରଖିଛି।

nis-ad
Leave A Reply

Your email address will not be published.