ଶ୍ରୀଲଙ୍କା ପରେ ଏବେ ପଡିଛି ବାଂଲାଦେଶ ପାଳି,ପେଟ୍ରୋଲ ଦାମ ୫୧.୭ ପ୍ରତିଶତ ବୃଦ୍ଧି

ଢ଼ାକା: ଶ୍ରୀଲଙ୍କା ପରେ ଏବେ ପଡିଛି ବାଂଲାଦେଶ ପାଳି। ଏଠାରେ ଘନେଇବାରେ ଲାଗିଛି ଆର୍ଥିକ ସଙ୍କଟ ପରିସ୍ଥିତି। ଏଠାରେ ସରକାରୀ ରାଜକୋଷ ଦିନକୁ ଦିନ ସରି ଆସୁଥିବା ବେଳେ ବୈଦେଶିକ ଋଣଭାର ବଢିବାରେ ଲାଗିଛି। ଏହାକୁ ନଜରରେ ରଖି ବାଙ୍ଗଲାଦେଶ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ଗତକାଲି ବାଂଲାଦେଶ ସରକାର ଦେଶରେ ପେଟ୍ରୋଲ ଦାମକୁ ଏକାଥର କେ ୫୧.୭ ପ୍ରତିଶତ ବୃଦ୍ଧି କରିଛନ୍ତି। କେବଳ ପେଟ୍ରୋଲ ନୁହେଁ ଡିଜେଲର ଦାମ ବି ୪୨ ପ୍ରତିଶତ ବୃଦ୍ଧି ପାଇଛି। ଏହାପରେ ଦେଶରେ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ବଢ଼ିବା ଆରମ୍ଭ ହୋଇଯାଇଛି।
ସେପଟେ ଦରଦାମ ବୃଦ୍ଧି ପାଇଥିବା ଯୋଗୁ ଲୋକେ ରାସ୍ତା ଉପରକୁ ଓହ୍ଲାଇଛନ୍ତି। ଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ। କେବଳ ସେତିକି ନୁହେଁ ପୁଲିସ ଗାଡିକୁ ଭଙ୍ଗାରୁଜା କରିଛନ୍ତି। କେବଳ ଏତିକି ନୁହେଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବାଂଲାଦେଶରେ ଅନ୍ୟମାନଙ୍କଠାରୁ ଆମଦାନୀ ହେଉଥିବା ତୈଳ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି। ଫଳସ୍ୱରୂପ ଏଠାରେ ଡିଜେଲ ଚାଳିତ ପାୱାରପ୍ଲାଣ୍ଟରେ ତାଲା ପଡିଯାଇଛି। ଦେଶର ରାଜକୋଷ ଏତେ ପରିମାଣରେ ହ୍ରାସ ପାଇଛି ଯେ ଅନେକ ପ୍ରକାରର ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାଂଲାଦେଶର ଅର୍ଥମନ୍ତ୍ରୀ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ୪.୫ ବିଲିୟନ ଡଲାର ଋଣ ମାଗିଛନ୍ତି।
ମହଙ୍ଗାମାଡରୁ ମୁକ୍ତି ପାଇବାକୁ ବାଂଲାଦେଶ ସରକାର ଆଇଏମଏଫ ସମେତ ଅନେକ ଅର୍ନ୍ତରାଷ୍ଟ୍ରୀୟ ସଂସ୍ଥାଙ୍କ ଠାରୁ ଋଣ ନେଇଛି। ସାରା ବିଶ୍ୱରେ ଦରବୃଦ୍ଧି ଫଳରେ ବାଂଲାଦେଶର ଆମଦାନୀ ଦେୟ ମଧ୍ୟ ବଢିଛି। ଏହି କାରଣରୁ ଏବେ ଦେଶର ଅର୍ଥବ୍ୟବସ୍ଥା ଚାପରେ ରହିଛି। ସେପଟେ ଏଭଳି ମୂଲ୍ୟବୃଦ୍ଧି ପରେ ବାଂଲାଦେଶରେ ପେଟ୍ରୋଲ ଲିଟର ପିଛା ୧୩୦ ଟାକା (ଭାରତୀୟ ମୁଦ୍ରାରେ ୧୦୮.୪୪) ଓ ଡିଜେଲର ଦାମ ୧୧୪ ଟାକା (ଭାରତୀୟ ମୁଦ୍ରାରେ ୯୫.୧୧) କୁ ବୃଦ୍ଧି ପାଇଛି। ୧୯୭୧ ମସିହାରେ ବାଂଲାଦେଶ ସ୍ୱାଧୀନ ହେବା ପରେ ପ୍ରଥମଥର ପାଇଁ ଦେଶରେ ଇନ୍ଧନର ମୂଲ୍ୟ ଏଭଳି ଭାବେ ବୃଦ୍ଧି କରିବାକୁ ସରକାର ବାଧ୍ୟ ହୋଇଛନ୍ତି। ଇନ୍ଧନର ମୂଲ୍ୟ ବୃଦ୍ଧି ଫଳରେ ବାଂଲାଦେଶର ସରକାରଙ୍କ ଉପରେ ରିହାତି ବୋଝ କମିବ ବୋଲି ଆଶଂକା କରାଯାଉଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗଲା କିଛି ମାସ ହେବ ବିଦେଶରେ କାମ କରୁଥିବା ବାଂଲାଦେଶୀମାନଙ୍କ ଆୟ ହ୍ରାସ ପାଉଛି। ଏଠାରେ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେବାର ଏହା ଅନ୍ୟତମ କାରଣ। ଆମଦାନୀ ଦେୟ ବୃଦ୍ଧି ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ବୈଦେଶିକ ମୁଦ୍ରା ଭଣ୍ଡାରର ଆକଳନରୁ ଜଣାପଡିଛି ଯେ ଗତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ଏଠାରେ ୪୫ ବିଲିୟନ ଡ଼ଲାର ଥିଲା। ଜୁଲାଇ ୨୦, ୨୦୨୨ରେ ଏହା ହ୍ରାସ ପାଇ ଆଉ ମାତ୍ର ୩୯ ଡଲାର ବାକି ଅଛି। ବର୍ତ୍ତମାନ ବାଂଲାଦେଶର ଅବସ୍ଥା ଏତେ ଖରାପ ହୋଇଛି ଏହି ଟଙ୍କାରେ କେବଳ ୫ ମାସ ପାଇଁ ସାମଗ୍ରୀ ଆମଦାନୀ ହୋଇପାରିବା।
ଅନ୍ୟପଟେ ବାଂଲାଦେଶ ସରକାର ଦେଶର ନିମ୍ନଗାମୀ ଆର୍ଥିକ ସ୍ଥିତିକୁ ଗ୍ରହଣ କରିବାକୁ ରାଜି ହୋଇ ନାହାଁନ୍ତି। ସରକାରୀ ବୟାନ ମୁତାବକ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳମୂଲ୍ୟ ବୃଦ୍ଧି କାରଣରୁ ଦେଶରେ ଇନ୍ଧନର ମୂଲ୍ୟ ବୃଦ୍ଧି କରାଯାଇଛି। ଏହାସହ ଗତ ୬ ମାସ ମଧ୍ୟରେ ଦେଶର ସରକାରୀ ପେଟ୍ରୋଲିୟମ କମ୍ପାନୀ ବାଂଲାଦେଶ ପେଟ୍ରୋଲିୟମ କର୍ପୋରେଶନ ୮ ଆରବ ଟାକା କ୍ଷତି କରିଛି ବୋଲି ବାଂଲାଦେଶ ସରକାର କହିଛନ୍ତି।

nis-ad
Leave A Reply

Your email address will not be published.