ବେଜିଂ: ତାଇୱାନ ସହ ବିବାଦକୁ ଦୃଷ୍ଟିରେ ରଖି ରାଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛି ଚାଇନା। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଚାଇନାର ଧମକ ସତ୍ତ୍ୱେ ତାଇୱାନ ଗସ୍ତ କରିଥିବାରୁ ବେଜିଂ ଏବେ ପ୍ରତିଶୋଧ ନେବା ମୁଡରେ ରହିଛି। ପୂର୍ବରୁ ତାଇୱାନର ଜଳ ରାଶି ଓ ସୀମାନ୍ତ ଅଞ୍ଚଳରେ ସମରାଭ୍ୟାସ କରୁଥିବା ଚାଇନା ଏବେ ଆମେରିକା ସହ ବିଭିନ୍ନ ପ୍ରସଙ୍ଗରେ ସହଭାଗିତା ସମ୍ପର୍କଚ୍ଛିନ୍ନ କରିଛି। ଏଥିସହ ନାନ୍ସି ପେଲୋସିଙ୍କ ଉପରେ କଟକଣା ଲଗାଇଛି। ପେଲୋସି ଓ ତାଙ୍କ ପରିବାର ଉପରେ ବେଜିଂ କଟକଣା ଲଗାଇଥିବା ଜଣାପଡ଼ିଛି।
ଆଜି ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକା ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବୈଠକ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନାକୁ ବାତିଲ କରାଯାଉଛି। ଆମେରିକା ସହ ଦୁଇଟି ସୁରକ୍ଷା ବୈଠକ ଓ ଏକାଧିକ ଜଳବାୟୁ ସମ୍ପର୍କିତ ବୈଠକ ହେବାର ଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ ଏହା ଆଉ ସମ୍ଭବ ନୁହେଁ।
ଚାଇନାର ବାରମ୍ବାର ଅନୁରୋଧ ଓ ବିରୋଧ ସତ୍ତ୍ୱେ ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିଲେ। ଏହାଦ୍ୱାରା ଚାଇନାର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ତେଣୁ ଆମେରିକା ସହ ହେବାକୁ ଥିବା ସମସ୍ତ ପ୍ରକାରର ବୈଠକକୁ ବାତିଲ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଚାଇନା ଓ ଆମେରିକା ହେଉଛନ୍ତି ବିଶ୍ୱର ସର୍ବବୃହତ୍ତ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ରାଷ୍ଟ୍ର। ତେବେ ଉଭୟ ଗତବର୍ଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସିଓପି୨୬ ସମ୍ମିନଳୀରେ ପରିବେଶ ସୁରକ୍ଷାକୁ ନେଇ ଚୁକ୍ତି କରିଥିଲେ। ଏଥିସହ ଉଭୟ ଦେଶ ମିଳିତ ଭାବେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେବେ ବୋଲି କଥା ଦେଇଥିଲେ। ହେଲେ ଏବେ ତାଇୱାନକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି। ହେଲେ ଆମେରିକାର ତୃତୀୟ ସର୍ବୋଚ୍ଚ ଜନପ୍ରତିନିଧି ନାନ୍ସି ତାଇୱାନ ଗସ୍ତ କରି ଏହାର ଗଣତନ୍ତ୍ରକୁ ସମର୍ଥନ କରିଥିବାରୁ ଚାଇନା ମୁଣ୍ଡ ଗରମ ହୋଇଛି। ଏବେ ବେଜିଂ ଏହାର ରାଗ ତାଇୱାନ ଉପରେ ଶୁଝାଇବା ପାଇଁ ସମରାଭ୍ୟାସ କରୁଛି।
Sign in
Sign in
Recover your password.
A password will be e-mailed to you.