ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପୁଣି କରୋନା

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହାକୁ ମିଶାଇ ୧୦ ଦିନ ଭିତରେ ସେ ଏହି ମାହାମାରୀରେ ଦୁଇ ଥର ସଂକ୍ରମିତ ହୋଇ ସାରିଲେଣି। ଏନେଇ ହ୍ୱାଇଟ୍‌ ହାଉସର ଚିକିତ୍ସକ ଡକ୍ଟର କେଭିନ୍‌ ଓ’କନୋର ସୂଚନା ଦେଇଛନ୍ତି।
ଡାକ୍ତରଙ୍କ କହିବା ମୁତାବକ, ଆମେରିକା ରାଷ୍ଟ୍ରପତିଙ୍କ ଠାରେ ଭୂତାଣୁର କୌଣସି ଲକ୍ଷଣ ନାହିଁ। ସେ ସୁସ୍ଥ ଅନୁଭବ କରୁଛନ୍ତି। ବାଇଡେନ୍‌ ଅତିକମ୍‌ରେ ୫ ଦିନ ଆଇସୋଲେସନରେ ରହିବେ। ଚାରିଦିନ ପୂର୍ବେ ବାଇଡେନ୍‌ କରୋନାକୁ ହରାଇଥିଲେ। ବୁଧବାର କରାଯାଇଥିବା ନମୂନା ପରୀକ୍ଷାରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ ୧୦ ଦିନ ବ୍ୟବଧାନରେ ସେ ପୁଣି କରୋନା ପଜିଟିଭ ହୋଇଛନ୍ତି।
୭୯ ବର୍ଷିୟ ବାଇଡେନ୍‌ ଗତ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ସମୟରେ ମଧ୍ୟ ତାଙ୍କ ଠାରେ ଏହି ମହାମାରୀ ଭୂତାଣୁର ଖୁବ୍‌ କମ୍‌ ଲକ୍ଷଣ ଦେଖିବାକୁ ମିଳିଥିଲା। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା, କିନ୍ତୁ ସେ ଲଗାତର ହ୍ୱାଇଟ୍‌ ହାଉସ ସଦସ୍ୟମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଭାଗ ନେଉଥିଲେ। ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଜ୍ୱର ହେବା ମଧ୍ୟ କମିଯାଇଥିଲା।
ଶୁକ୍ରବାର ସକାଳେ ତାଙ୍କ ଟେଷ୍ଟ କରାଯାଇଥିଲା ଏଥିରେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ରବିବାର ସକାଳେ ପୁଣିଥରେ ତାଙ୍କ ଟେଷ୍ଟ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ସମସ୍ତେ ଚକିତ ହୋଇପଡିଥିଲେ। ରବିବାର ବାଇଡେନ୍‌ ୱିଲମିଙ୍ଗଟନରେ ଥିବା ତାଙ୍କ ଘରକୁ ଯିବା କାର୍ଯ୍ୟକ୍ରମ ଥିଲା, ଯେଉଁଠି ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ରୁହନ୍ତି। ତେବେ ରିପୋର୍ଟ ପଜିଟିଭ ଆସିବାର ଦୁଇ ଘଣ୍ଟା ପୂର୍ବରୁ ହ୍ୱାଇଟ୍‌ ହାଉସ ତରଫରୁ ମଙ୍ଗଳବାର ରାଷ୍ଟ୍ରପତି ବାଇଡେନ୍‌ ମିଶିଗନ ଗସ୍ତ କରିବେ ବୋଲି ଘୋଷଣା କରାଯାଇଥିଲା। ଏବେ ଜୋ ବାଇଡେନ୍‌ଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସେ ସୁସ୍ଥ ହେବା ଯାଏଁ ବାତିଲ କରାଯାଇଛି।

nis-ad
Leave A Reply

Your email address will not be published.