୩ କଂଗ୍ରେସ ବିଧାୟକ ସସ୍‌ପେଣ୍ଡ, କାର୍‌ରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ନୂଆଦିଲ୍ଲୀ: ବିଧାୟକଙ୍କ ଗାଡିରୁ ଟଙ୍କା ମିଳିବା ପରେ ଆକ୍ସନ ମୁଡ୍‌ରେ କଂଗ୍ରେସ। ଝାଡଖଣ୍ଡର ତିନି କଂଗ୍ରେସ ବିଧାୟକଙ୍କୁ ସସ୍‌ପେଣ୍ଡ କଲା ଦଳ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ ପରେ ରାଞ୍ଚିର ଖିଜରିରୁ ବିଧାୟକ ଥିବା ରାଜେଶ କଚ୍ଛପ, କଙ୍ଗାରି ସିମଡେଗାସ୍ଥିତ କୋଲେବିରାରୁ ନମାନ ବିକ୍ସେଲ କଙ୍ଗାରି ଏବଂ ଜାମତାରାର ଇରଫାନ ଅନସାରୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଝାଡଖଣ୍ଡର କଂଗ୍ରେସ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶନିବାର ପଶ୍ଚିମବଙ୍ଗ ପୁଲିସ ହାୱଡା ଠାରେ ଏହି ବିଧାୟକଙ୍କ ଏସ୍‌ୟୁଭି ଗାଡିରୁ ପୁଲା ପୁଲା ଟଙ୍କା ଜବତ କରିଥିଲା। ଏହି ଟଙ୍କା ଗଣିବା ପାଇଁ ପୁଲିସ ଟଙ୍କା ଗଣିବ ମେସିନ ମଧ୍ୟ ମଗାଇଥିଲା। ବିଧାୟକଙ୍କ ଗାଡି ଭିତରୁ ପାଖାପାଖି ୪୮ ଲକ୍ଷ ଟଙ୍କା ମିଳିଥିଲା। ଏମାନେ ଶନିବାର ରାତିରେ ଜମତାରା ଅଞ୍ଚଳରୁ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଉଥିଲେ। ଏତିକି ବେଳେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଗାଡି ଅଟକାଇ ଯାଞ୍ଚ କରିଥିଲା।
ବିଧାୟକମାନଙ୍କୁ କେଉଁଠୁ ଏତେ ପରିମାଣର ଟଙ୍କା ଆଣିଲେ ସେମ୍ପର୍କରେ ତଦନ୍ତକାରୀ ଅଫିସର ପଚରାଉଚରା ଜାରି ରଖିଛି। ତେବେ ପଚରାଉଚରା ବେଳେ ୩ ବିଧାୟକଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ସମସ୍ତ ବିଧାୟକ ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି।
ସେପଟେ ଏହି ଘଟଣାକୁ ନେଇ ଝାଡଖଣ୍ଡ କଂଗ୍ରେସ ମିଡିଆ ପ୍ରଭାରୀ ପବନ ଖେଡା ଓ ଝାଡଖଣ୍ଡ କଂଗ୍ରେସ ମୁଖପତ୍ର ଅବିନାଶ ପାଣ୍ଡେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ତଦନ୍ତକାରୀ ସଂସ୍ଥା ବିଜେପି ସରକାରଙ୍କ ୱିଙ୍ଗ ଭଳି କାମ କରୁଛି। ବିଜେପି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଯାହା କରିଥିଲା ଝାଡଖଣ୍ଡରେ ମଧ୍ୟ ତା’ର ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛି। ରାଜସ୍ଥାନରେ ମଧ୍ୟ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଉଭୟ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.