ବାବୁସାନ୍-ତୃପ୍ତି ବିବାଦର ସମାଧାନ ଲାଗି ଉଦ୍ୟମ ଜାରି

ଭୁବନେଶ୍ବର ଅଭିନେତା ବାବୁସାନଙ୍କ ବୈବାହିକ ଜୀବନରେ ଉଠିଥିବା ଝଡ଼ ଖୁବ୍ ଶୀଘ୍ର ଥମିଯିବ ବୋଲି ମନେହେଉଛି। ବାବୁସାନ୍‌ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ଭିତରେ ଉପୁଜିଥିବା ମନୋମାଳିନ୍ୟ ଦୂର ହେବ ବୋଲି ଆଶା କରାଯାଉଛି। ବ‌ାବୁସାନଙ୍କ ମାମୁ କୁହାଯାଉଥିବା ତଥା ତାଙ୍କ ପରିବାରର ଘନିଷ୍ଠ ଅଭିନେତା ରବି ମିଶ୍ର ଏ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ।

ସମସ୍ୟାର ଆପୋଷ ବୁଝାମଣା ଲାଗି ସେ ତୃପ୍ତିଙ୍କ ସହ ଆଲୋଚନା କରିଛନ୍ତି। ଏବେ ସବୁ କିଛି ତୃପ୍ତିଙ୍କ ଉପରେ ନିର୍ଭର କରୁଛି। ତୃପ୍ତି ଚାହିଁଲେ ପୁଣି ଥରେ ତାଙ୍କ ପରିବାର ଏକାଠି ହେବ ବୋଲି ଚର୍ଚ୍ଚା ହେଉଛି । ଗଣମାଧ୍ୟମରେ ନିଜ ମତ ରଖି ତୃପ୍ତିଙ୍କ ମାଉସୀ କହିଛନ୍ତି କି ‘ସେମାନେ ଆସି‌ଲେ। ତୃପ୍ତି ଓ ପିଲା ଭଲ ଅଛନ୍ତି କି ନାହିଁ ବୁଝିକି କଥାବାର୍ତ୍ତା ହୋଇଗଲେ। ଆଲୋଚନା ସମୟରେ ତୃପ୍ତି କହିଛି- ”ଆଇ ଉଇଲ୍‌ ୱେଟ୍‌ ଆଣ୍ଡ୍‌ ୱାଚ୍‌( ମୁଁ ଅପେକ୍ଷା କରିବି ଓ ଦେଖିବି)।”

ପତି-ପତ୍ନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ କରିବାକୁ ତୃପ୍ତିଙ୍କ ସତ୍ୟନଗର ଘରେ ଆଉ ଜଣଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ଅଭିନେତା ରବି ମିଶ୍ର । ଆପଣ ଜାଣିଥିବେ ନିଶ୍ଚୟ ଯେ ବାବୁସାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ରବି ମିଶ୍ରଙ୍କର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲା । ସେ ତୃପ୍ତିଙ୍କ ଘରୁ ବାହାରି ଗଣମାଧ୍ୟମରେ ତାଙ୍କର ବୟାନ ଦେଇ କହିଛନ୍ତି ଯେ ‘ଖୁବ୍‌ ଶୀଘ୍ର ସମାଧାନର ବାଟ ବାହାରିବ’।

ଗତକାଲି ନିଜ ବାଲକୋନିରେ ଛିଡ଼ା ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନମସ୍କାର କରିଥିଲେ ବାବୁସାନ। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଥିଲେ କି ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।

nis-ad
Leave A Reply

Your email address will not be published.