ଭୁବନେଶ୍ୱର: ଦରିଦ୍ର ହୁଅନ୍ତୁ ଅବା ଧନୀ, ନ୍ୟାୟିକ ବ୍ୟବସ୍ଥା ଉପରେ ସମସ୍ତଙ୍କର ସମାନ ଅଧିକାର ରହିଛି। ଆଇନ ଆଖିରେ ସମସ୍ତେ ସମାନ। ଏହା କେବଳ ଏକ ଲୋକକଥା ନୁହେଁ ବରଂ ବାସ୍ତବରେ ପ୍ରତିଫଳିତ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।୪୧ ଜଣ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର୍ (ଏପିପି)ଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନ୍ୟାୟିକ ବ୍ୟବସ୍ଥା ସମାଜର ପ୍ରତ୍ୟେକ ବର୍ଗର ବିଶେଷକରି ତଳସ୍ତରରେ ଥିବା ଦରିଦ୍ରରୁ ଦରିଦ୍ରତମ ନାଗରିକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। କୌଣସି ପରିସ୍ଥିତି ବି କେହି ନିଜର ନ୍ୟାୟିକ ଅଧିକାରରୁ ବଞ୍ଚିତ ରହିବା ଅନୁଚିତ। ସମାଜରେ ସମାନତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆପଣମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ନବ ନିଯୁକ୍ତ ଏପିପି ମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାଂଶ ଏପିପି ଉଚ୍ଚ ଶିକ୍ଷିତ ଏବଂ ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ସାଧାରଣ ନାଗରିକଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏହା ବେଶ୍ ଉପାଦେୟ ହୋଇପାରିବ। ସମାଜରେ ଅବହେଳିତ ଏବଂ ନିଷ୍ପେସିତ ଲୋକଙ୍କ ସେବା କରିବାରେ ଆପଣମାନେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲିମୋର ବିଶ୍ୱାସ। ନବ ନିଯୁକ୍ତ ଏପିପିମାନଙ୍କୁ ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାରରେ ଅଭିବୃଦ୍ଧି ହାସଲ କରିବା ଜରୁରୀ। ଆମ ସରକାରରେ ‘୫-ଟି’ ଉପକ୍ରମରେ ଟେକ୍ନୋଲୋଜି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ଲୋକଙ୍କୁ ଶୀଘ୍ର ଏବଂ ପାରଦର୍ଶୀ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଏହାର ସୁବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ଏହି ଅବସରରେ ଯୋଗଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ଆପଣମାନଙ୍କ ଉପରେ ନ୍ୟାୟିକ ବ୍ୟବସ୍ଥା ସମ୍ପାଦନର ଗୁରୁ ଦାୟିତ୍ୱ ରହିଛି। ଆପଣମାନେ ନିଜ କାର୍ଯ୍ୟରେ ନିଷ୍ଠା ଏବଂ ପାରଦର୍ଶୀତା ବଜାୟ ରଖିବା ଆବଶ୍ୟକ। ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଜନସାଧାଣଙ୍କ ଆସ୍ଥାଭାଜନ ହେବା ଲକ୍ଷ୍ୟରେ ନବ ନିଯୁକ୍ତ ଏପିପି ମାନେ କାର୍ଯ୍ୟ କରିବା ଆବଶ୍ୟକ। ବିଶେଷକରି ନ୍ୟାୟ ଅପେକ୍ଷାରେ ଥିବା ସମାଜର ଦୁର୍ବଳ ବର୍ଗର ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ମିଳିବା ଜରୁରୀ। ଏହି ଅବସରରେ କାର୍ଯ୍ୟରେ ଯୋଗ ଦେଇଥିବା ଏପିପି ଗୀତାଞ୍ଜଳି ନାୟକ, ସର୍ବଜିତ ଶ୍ରୀଚନ୍ଦନ, ଲଳିତ ପାତ୍ର ପ୍ରମୁଖ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ପ୍ରଯୁକ୍ତି ଆଧାରିତ ନିଯୁକ୍ତି ପ୍ରକ୍ରିୟା ଏବଂ ନିଯୁକ୍ତି ପାଇଁ ଚଏସ୍ ଲକିଂ ସିଷ୍ଟମ୍ କୁ ନେଇ ସନ୍ତୋଷବ୍ୟକ୍ତ କରିଥିଲେ। ବ୍ୟବସ୍ଥାରେ ଯେଉଁପରି ଭାବେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ତାହା ପ୍ରଶଂସନୀୟ ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭିକେ ପାଣ୍ଡିଆନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା ସ୍ୱାଗତ ଭାଷଣ କରି ରାଜ୍ୟରେ ଅପରାଧ ନ୍ୟାୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଦିଗରେ ନୂଆ ଏପିପିଙ୍କ ନିଯୁକ୍ତି ରାଜ୍ୟ ସରକାରଙ୍କର ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ। ପବ୍ଲିକ୍ ପ୍ରୋସିକ୍ୟୁସନ୍ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।