ମନ୍ତ୍ରୀ ପାର୍ଥ ଚାଟାର୍ଜୀ  ବିଦା ହେଲେ

କୋଲକାତା: ଶେଷରେ ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହାତ ଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଇଡି ତାଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ଓ ୫ କେଜି ସୁନା ଜବତ ହୋଇଛି।
ଏହାକୁ ନେଇ ବେଙ୍ଗଲରେ କ୍ଷମତାସୀନ ଟିଏମସି ସରକାର ଅଡ଼ୁଆରେ ପଡ଼ିଥିଲେ। ଏବେ ଏହି ଅଡ଼ୁଆକୁ ଦୂର କରିବା ପାଇଁ ମମତା ଆଜି ପାର୍ଥ ଚାଟାର୍ଜୀଙ୍କୁ ନିଜ ମନ୍ତ୍ରିମଣ୍ତଳରୁ ବିଦା କରିଛନ୍ତି। ପୂର୍ବରୁ ବିରୋଧୀ ବିଜେପି ଓ କଂଗ୍ରେସ ସମାନ ଦାବି କରି ଟିଏମସି ସରକାରକୁ ଘେରିବା ପାଇଁ ଚେଷ୍ଟା କରିଥିଲେ। ବିରୋଧୀଙ୍କ ଚାପରେ ଚେପା ମମତା ସରକାର ଗିରଫର ୫ ଦିନ ପରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବେଙ୍ଗଲର ବିଭିନ୍ନ ସ୍କୁଲରେ ହୋଇଥିବା ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗତ ଶୁକ୍ରବାର ଇଡି ଅର୍ପିତାଙ୍କ ଘରେ ରେଡ କରି ନଗଦ ୨୧ କୋଟି ଟଙ୍କା ଜବତ କରିଥିଲା। ଏହାର ଦିନକ ପରେ(ଜୁଲାଇ ୨୩) ପାର୍ଥ ଓ ଜୁଲାଇ ୨୪ରେ ଅର୍ପିତାଙ୍କୁ ଗିରଫ କରାଯାଇଛି। ଉଭୟ ଏବେ ଇଡି ହେପାଜତରେ ଅଛନ୍ତି। ଜେରା ଚାଲିଥିବା ବେଳେ ବୁଧବାର ଇଡିର ଅଧିକାରୀମାନେ ଅର୍ପିତାଙ୍କ ବେଲଘର ଟାଉନ କ୍ଲବରେ ଥିବା ଆଉ ଗୋଟିଏ ଫ୍ଲାଟରେ ରେଡ କରିଥିଲେ।
ଏହି ସମୟରେ ସେଠାକୁ ନଗଦ ୨୯ କୋଟି ଟଙ୍କାର ଓ ୫ କେଜି ସୁନା ମିଳିଛି। ଅର୍ପିତାଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ମିଳିବା ପରେ ସମସ୍ତେ ଜଳକା ହୋଇଛନ୍ତି। ଅର୍ପିତା ଏହି ସବୁ ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି କହିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ପାର୍ଥ ଚାଟାର୍ଜୀ କୋଟି କୋଟି ଟଙ୍କା ହାସଲ କରିଥିଲେ। ଏହାକୁ ସେ ଅର୍ପିତାଙ୍କ ଘରେ ଲୁଚାଇ ରଖିଥିଲେ ବୋଲି କୁହାଯାଉଛି। ପାର୍ଥ ୨୦୧୪ରୁ ୨୦୨୧ ଯାଏ ବେଙ୍ଗଲର ଶିକ୍ଷା ମନ୍ତ୍ରୀ ଭାବେ କାମ କରିଛନ୍ତି। ଏବେ ସେ ଶିଳ୍ପ ଓ କର୍ମସ ବିଭାଗର ମନ୍ତ୍ରୀ ଥିଲେ।

nis-ad
Leave A Reply

Your email address will not be published.