ଭଦ୍ରକ: ବିଭିନ୍ନ ସମୟରେ ଡକାୟତି କରି ଫେରାର ଥିବା ୪ ଜଣ ଡକାୟତଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ମାରଣାସ୍ତ୍ର ସମେତ ନଗଦ ୪ ହଜାର ଟଙ୍କା, ୫ଟି ମୋଟର ସାଇକେଲ ଏବଂ ୬ଟି ମୋବାଇଲ ଜବତ କରାଯାଇଛି । ଅଧିକ ତଦନ୍ତ ପାଇଁ ସେମାନଙ୍କ ନାମ ପୁଲିସ ପ୍ରକାଶ କରିନାହିଁ । ତେବେ ଏହି ଗିରଫ ୪ ଜଣ ଡକାୟତ ଗତ ୧୯ ତାରିଖ ରାତିରେ ଚରମ୍ପା ଅଞ୍ଚଳର ଝାଡ଼ଖଣ୍ଡ ରାଜ୍ୟର ଜଣେ ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଭୟଭୀତ କରାଇବା ସହିତ ଆକ୍ରମଣ କରି ଅଭିନବ ଉପାୟରେ ଫୋନ୍ ପେ’ରେ ୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ ।
ପରେ ସେହି ରାତିରେ ଆରଡି ଛକ ଅଞ୍ଚଳର ଜଣେ ମହିଳାଙ୍କ ଗେଟ୍ ଚାବି ଭାଙ୍ଗିବା ସହ ଗାଡି ଭାଙ୍ଗି ଡକାୟତ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକମାନେ ଉଠି ପାଟି କରିବାରୁ ସେମାନେ ପଳାଇ ଯାଇଥିଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଦୁଇଟି ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ ସହିତ ମୋବାଇଲ ଲୋକେସନ୍ ଓ କଲ୍ ଡିଟେଲ୍ସକୁ ଆଧାର କରି ତଦନ୍ତ କରିଥିଲା । ପରେ ଏହି ୪ଜଣ ଡକାୟତ ଚରମ୍ପା ରେଳ ଓଭର ବ୍ରିଜ ପାଖରେ ନିଶାସକ୍ତ ଅବସ୍ଥାରେ ଥିବା ଖବର ପାଇ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା । ସେମାନଙ୍କଠାରୁ ଏହି ସବୁ ମାରଣାସ୍ତ୍ର, ଟଙ୍କା, ମୋବାଇଲ ଏବଂ ମୋଟର ସାଇକେଲ ଜବତ ସହିତ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଡକାୟତ ମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଥିବା ଭଦ୍ରକ ଏସ୍ଡିପିଓ ପ୍ରଭାସ ପାଲ, ଗ୍ରାମାଞ୍ଚଳ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ କହିଛନ୍ତି ।