ୱାଶିଂଟନ: ପ୍ରାୟ ୧୦ ବର୍ଷ ପରେ ଆମେରିକାରେ ଚିହ୍ନଟ ହୋଇଛି ପୋଲିଓ ଭାଇରସର ପ୍ରଥମ ମାମଲା। ନ୍ୟୁୟର୍କର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରକଲ୍ୟାଣ୍ଡ କାଉଣ୍ଟରେ ରହୁଥିବା ଜଣଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଶେଷଥର ପାଇଁ ୨୦୧୩ ଶେଷ ଭାଗରେ ଆମେରିକାରେ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଆଉ କେହି ବି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନଥିଲେ। ହେଲେ ଏବେ ପୁଣି ଭାଇରସ ସାମ୍ନାକୁ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଓରାଲ ପୋଲିଓ ଟିକା ନେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସମ୍ଭବତଃ ଏବେ ବ୍ୟକ୍ତି ଜଣଙ୍କ ପୋଲିଓ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୦୦୦ ମସିହାରୁ ଆମେରିକାରେ ଓରାଲ ପୋଲିଓ ଟିକାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଓରାଲ ଟିକା ପ୍ରଚଳିତ ଥିବା ଦେଶର କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏବେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନ୍ୟୁୟର୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ଯେଉଁ ଦେଶରେ ଓରାଲ ପୋଲିଓ ଟିକା ପ୍ରଚଳିତ ରହିଛି, ସେହି ସ୍ଥାନ ହିଁ ଭାଇରସର ଉତ୍ପତ୍ତିସ୍ଥଳ ବୋଲି ନୂଆ ମାମଲା ସଙ୍କେତ ଦେଉଛି। ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସଚେତନ କରାଯାଇଛି। ସେମାନେ ଲୋକଙ୍କ ତୁରନ୍ତ ଯାଞ୍ଚ କରି ନୂଆ ଆକ୍ରାନ୍ତଙ୍କୁ ଠାବ କରିବାର ପ୍ରୟାସ କରନ୍ତୁ। ସେହିପରି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳରେ ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ପୋଲିଓ ଟିକା ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ପୋଲିଓ ଗୋଟିଏ ଘାତକ ଓ ପଙ୍ଗୁ କରି ଦେଉଥିବା ଭାଇରସ। ବିଶେଷ କରି ଏହା ୫ ବର୍ଷରୁ କମ ବୟସ୍କଙ୍କ ପାଇଁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
ପୋଲିଓର ମୂଳପୋଛ କରିବାକୁ ଦୀର୍ଘ ବର୍ଷ ହେଲା ଅଭିଯାନ ଚାଲିଛି। ୧୯୮୮ରେ ବିଶ୍ୱର ୧୨୫ଟି ଦେଶରେ ପୋଲିଓ ଭାଇରସ ଏଣ୍ଡେମିକ ରୂପରେ ରହିଥିଲା। ସେହିପରି ବିଶ୍ୱରେ ୩୫୦,୦୦୦ ମାମଲା ମଧ୍ୟ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହି ମାମଲା ୯୯% ହ୍ରାସ ପାଇଛି। ଟିକା ବାହାରିବା ପରେ ହିଁ ଏହି ଭାଇରସକୁ ନିୟନ୍ତ୍ରଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.