ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ଆଜି ଖୋଲାଯାଇଛି । ହୀରାକୁଦ ଡ୍ୟାମରୁ ଏବେ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲାଯାଇଛି ବୋଲି ଜଣାପଡିଛି । ପୂର୍ବରୁ ୫ଟି ଗେଟ୍ ଖୋଲା ଥିବା ବେଳେ ଆଜି ସକାଳେ ୩ଟି ଗେଟ୍ ଖୋଲାଯାଇଥିଲା ।ଏହି କ୍ରମରେ ଆଜି ଦିନକ ମଧ୍ୟରେ ୫ଟି ଗେଟ୍ ଖୋଲାଯାଇଛି ।
ତେବେ ମୌସୁମୀ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ଓ ବଜ୍ରପତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।