ଉପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଧନଖଡ଼

ନୂଆଦିଲ୍ଲୀ: ଏନଡିଏର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ସଂସଦ ଭବନରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନେକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ।
ଶ୍ରୀ ଧନଖଡ଼ଙ୍କ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ମୋଦି ହିଁ ଦସ୍ତଖତ କରିଛନ୍ତି। ଏଥିସହ ତାଙ୍କ ପ୍ରାର୍ଥିପତ୍ରକୁ ମୋଦି ହିଁ ରିଟର୍ଣ୍ଣିଂ ଅଫିସରକୁ ହସ୍ତାନ୍ତର କରିଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ମଧ୍ୟ ମୋଦି ଏମିତି କରିଥିଲେ।
ଧନଖଡ଼ଙ୍କ ପ୍ରାର୍ଥିତ୍ୱକୁ ଓଡ଼ିଶାର କ୍ଷମତାସୀନ ବିଜେଡି ସମର୍ଥନ ଘୋଷଣା କରିଛି। ସେହିପରି ତାମିଲନାଡୁର ବିରୋଧୀ ଦଳ ଏଆଇଏଡିଏମକେ ମଧ୍ୟ ଉପ ରାଷ୍ଟ୍ରପତି ନିର୍ବାଚନରେ ଧନକଡ଼ଙ୍କୁ ସମର୍ଥନ କରିବ। ବିଜେଡି ଧନକଡ଼ଙ୍କୁ ସମର୍ଥନ କରିଥିବାରୁ ଦଳୀୟ ସାଂସଦ ପିନାକୀ ମିଶ୍ର ଆଜି ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିଥିଲେ। ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ମତହାସ୍ୟ ଦେଇ କିଛି କହୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଧନଖଡ଼ ନାମାଙ୍କନ ଦାଖଲ କରିବା ପରେ ବିଦାୟୀ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଭେଟିଛନ୍ତି।
ଅନ୍ୟପକ୍ଷରେ ଧନଖଡ଼ଙ୍କ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ୍‌ ଆଲଭାଙ୍କ ସହ ହେବ। ଆଲଭା ହେଉଛନ୍ତି ୫ ଥର ସାଂସଦ ଓ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ। ତାଙ୍କୁ ଅଧିକାଂଶ ବିରୋଧୀ ଦଳ ସମର୍ଥନ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ। ଆସନ୍ତାକାଲି ବିରୋଧୀ ମେଣ୍ଟର ପ୍ରାର୍ଥୀ ଆଲଭା ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.