ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରାୟ ୩ ଦିନ ହେଲା ବର୍ଷା ଲାଗି ରହିଛି । ଏଥିସହ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବର୍ତ୍ତମାନ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି । ଗୋଦାବରୀର ଜଳସ୍ତର ବର୍ତ୍ତମାନ ୫୦ ଫୁଟ ଉପରେ ରହିଛି । ଫଳରେ ଗୋଦାବରୀ ନଦୀର ପଛୁଆ ମୋଟୁ-ଭଦ୍ରାଞ୍ଚଳମ ଜଳରେ ମୁଖ୍ୟ ରାସ୍ତାର ଅନେକ ସ୍ଥାନ ବୁଡ଼ି ଯାଇଥିବା ଜଣାପଡ଼ିଛି । ମୋଟୁରୁ ଚିନ୍ତୁର ଯିବା ମୁଖ୍ୟରାସ୍ତାର କୁଇଗୁର ରାସ୍ତା ଉପରେ ୪ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ମୋଟୁରୁ ଚିନ୍ତୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।
ସେହିପରି ଚିନ୍ତୁରରୁ ଭଦ୍ରାଞ୍ଚଳମ ମୁଖ୍ୟ ରାସ୍ତାର ନିଲିପାକା ନିକଟରେ ମଧ୍ୟ ରାସ୍ତା ଉପରେ ଗୋଦାବରୀ ନଦୀର ଜଳ ପ୍ରବାହିତ ହେବାରୁ ଓଡ଼ିଶାରୁ ଆନ୍ଧକୁ ଯୋଗାଯୋଗ ଠପ୍ ହୋଇଯାଇଛି । ରାସ୍ତା ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଫସି ରହିଥିବା ଜଣାପଡ଼ିଛି । ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲିବାରୁ ମୋଟୁ ନିକଟରେ ଥିବା ଚିନା ଗୋଦାବରୀ ନଦୀ ମଧ୍ୟ ଫୁଲିବା ଆରମ୍ଭ କଲାଣି ।
ମୋଟୁ ନିକଟରେ ଚିନା ଗୋଦାବରୀ ନଦୀରେ ସିଲେରୁ ଓ ସାବେରୀ ନଦୀ ମିଶିଥିବାରୁ ଯଦି ଚିନା ଗୋଦାବରୀ ନଦୀ ଫୁଲେ ତେବେ ସିଲେରୁ ଓ ସାବେରୀ ନଦୀ ମଧ୍ୟ ଫୁଲିବ । ଏଥିଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ପାଇଁ ବିପଦ ବଢ଼ିପାରେ ବୋଲି ଆଶଙ୍କା ରହିଛି । ଏଥିସହ ଏମ୍ – ୯୬ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡ଼ିଛି ।