କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିଦେଶ ଚାଲିଗଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିଦେଶ ଗସ୍ତରେ ଚାଲି ଯାଇଛନ୍ତି ସାଂସଦ ରାହୁଲ ଗାନ୍ଧି। ସେ ବ୍ୟକ୍ତିଗତ କାମରେ ୟୁରୋପ ଯାଇଥିବା ଜଣାପଡ଼ିଛି। ସେ ଆଜି ଠାରୁ ୟୁରୋପ ଗସ୍ତରେ ଯାଇଥିବା ବେଳେ ରବିବାର ଦିନ ଫେରିବେ। ଏହାପରେ ରାଷ୍ଟ୍ରପତି ନିର୍ବାଚନ ଓ ସଂସଦର ମୌସୁମୀ ଅଧିବେଶରେ ଯୋଗଦେବେ।
ରାହୁଲ ଗାନ୍ଧି ଦେଶରେ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ହିଁ ଅନେକ ସମୟରେ ବିଦେଶ ଗସ୍ତରେ ଯାଉଛନ୍ତି। ଏଥିପାଇଁ ତାଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ନେଇ ରାଜନୀତିକ ପଣ୍ଡିତମାନେ ପ୍ରଶ୍ନ ଉଠାଉଛନ୍ତି। ହେଲେ ରାହୁଲ ଗାନ୍ଧିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁ ନଥିବା ଭଳି ମନେ ହେଉଛି।
ଗୋଆ କଂଗ୍ରେସରେ ଏବେ ହଟଚମଟ ଜାରି ରହିଛି। କଂଗ୍ରେସ ବିଧାୟକମାନେ ବିଜେପି ଓ ଅନ୍ୟ ଦଳ ମୁହାଁ ହୋଇଛନ୍ତି। ସେମାନଙ୍କୁ ରୋକିବା ପାଇଁ ଦଳର ନେତୃତ୍ୱବୃନ୍ଦମାନେ ପ୍ରୟାସ କରୁଛନ୍ତି। ଏପରି କି ଦଳ ପକ୍ଷରୁ ଆଜି କିମ୍ବା ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏପରି ସ୍ଥିତିରେ ରାହୁଲ ଗାନ୍ଧି ୟୁରୋପ ଗସ୍ତରେ ଯାଇଛନ୍ତି। ତେଣୁ ସେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେନି।
ଏହାବାଦ ଗୁରୁବାର ଦଳର ପରବର୍ତ୍ତୀ ସଭାପତି ଚୟନ ପାଇଁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ରାହୁଲ ଗାନ୍ଧି ଏହି ବୈଠକରେ ମଧ୍ୟ ଯୋଗଦେବେନି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ଏଥିପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରି କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ।
ସେବେଠାରୁ ସଭାପତି ଦାୟିତ୍ୱରେ ସୋନିଆ ଗାନ୍ଧି ରହିଛନ୍ତି। ଆଗକୁ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ସେ ବିଷୟରେ ଆଲୋଚନା ପାଇଁ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ହେଲେ ଏହା ପୂର୍ବରୁ ହିଁ ରାହୁଲ ବିଦେଶ ଗସ୍ତରେ ଚାଲି ଯାଇଛନ୍ତି।
ଗୁରୁବାର ବୈଠକରେ କଂଗ୍ରେସ ତା’ର ‘ଭାରତ ଯୋଡ଼ ଅଭିଯାନ’ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ। ଅକ୍ଟୋବର ୨ ତାରିଖରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦଳ ଲକ୍ଷ୍ୟ ରଖିଛି।
ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତକୁ ନେଇ ବିବାଦ ଦେଖାଯାଇଥିଲା। ମେ’ ମାସରେ ରାହୁଲ ଗାନ୍ଧି ନେପାଳର କାଠମାଣ୍ଡୁରେ ଥିବା ଗୋଟିଏ ନାଇଟ କ୍ଲବରେ ମଉଜ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓକୁ ଆଧାର କରି ୟବିଜେପି ପକ୍ଷରୁ କଂଗ୍ରେସକୁ ତୀବ୍ର ସମାଲୋଚନା କରାଯାଇଥିଲା।

nis-ad
Leave A Reply

Your email address will not be published.