ଜୁବୈରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଜେଲରେ ରହିବେ

ନୂଆଦିଲ୍ଲୀ: ବିବାଦୀୟ ଟ୍ୱିଟ ପାଇଁ ଗିରଫ ହୋଇ ଜେଲରେ ଥିବା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ପୁଣି ଆଶ୍ୱସ୍ତି ମିଳିଛି। ଉତ୍ତର ପ୍ରଦେଶର ସୀତାପୁରରେ ରୁଜୁ ହୋଇଥିବା ମାମଲାରେ ଜୁବୈରଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ଆଜି ସୁପ୍ରିମକୋର୍ଟ ବଢ଼ାଇ ଦେଇଛନ୍ତି। ତେବେ ତାଙ୍କ ନାଁରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଜାରି ରହିବ। ତେଣୁ ପୂର୍ବଭଳି ଜୁବୈରଙ୍କୁ ଜେଲରେ ରହିବାକୁ ପଡ଼ିବ।
ଜୁବୈରଙ୍କୁ ୟୁପିର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପରେ ତାଙ୍କ ଓକିଲ କୋଲିନ ଗୋନସାଲଭେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଇନ୍ଦ୍ରା ବାନାର୍ଜୀ ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କ ଖଣ୍ଡପୀଠ ଜୁବୈରଙ୍କୁ ୫ ଦିନର ଅନ୍ତରୀଣ ଜାମିନ ଦେଇଥିଲେ।
ଆଜି ୟୁପି ପୁଲିସ୍ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଏସଭି ରାଜୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ବିଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କହିଥିଲେ ଯେ ଆମେ ଜୁବୈରଙ୍କ ଆବେଦନ ଉପରେ କାଉଣ୍ଟର ପିଟିସନ ଦାଖଲ କରିବାକୁ ଚାହୁଁଛୁ। ଏଥିପାଇଁ ସମୟ ଦରକାର।
ଏହାଶୁଣି ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ଏଥିସହ ଜୁବୈରଙ୍କ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମେ’ ମାସରେ ଜୁବୈର କରିଥିବା ଗୋଟିଏ ଟ୍ୱିଟ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସୀତାପୁରରେ ତାଙ୍କ ନାଁରେ ମାମଲା ହୋଇଛି। ଏହି ମାମଲାରେ ଜୁବୈରଙ୍କୁ ଦିଲ୍ଲୀରୁ ସୀତାପୁର ନିଆଯାଇଥିଲା। କିନ୍ତୁ ଗତକାଲି ରାତିରେ ତାଙ୍କୁ ପୁଣି ତିହାର ଜେଲକୁ ଅଣାଯାଇଛି।
୨୦୧୮ରେ ଜୁବୈର କରିଥିବା ଆଉ ଗୋଟିଏ ଟ୍ୱିଟ ପାଇଁ ତାଙ୍କୁ ଚଳିତ ବର୍ଷ ଜୁନ ୨୭ରେ ଦିଲ୍ଲୀ ପୁଲିସ୍ ଗିରଫ କରିଥିଲା। ଏହି ମାମଲାର ଶୁଣାଣି ଆସନ୍ତା ଗୁରୁବାର ଦିଲ୍ଲୀ କୋର୍ଟରେ ହେବ।

nis-ad
Leave A Reply

Your email address will not be published.