ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବ ଶିବସେନା!

ମୁମ୍ବାଇ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ସାଂସଦଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହିକ୍ରମରେ ଲୋକସଭାରେ ଥିବା ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୩ ଜଣ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ଯୋଗଦେଇଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ ଅଧିକାଂଶ ସାଂସଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିବା ମତ ରଖିଛନ୍ତି। ଶିବସେନା ସୁପ୍ରିମ ଉଦ୍ଧବ ଠାକରେ ମଧ୍ୟ ଏ ପ୍ରସ୍ତାବ ସପକ୍ଷରେ ରହିଥିବା ଜଣାପଡ଼ିଛି। ତେଣୁ ଶିବସେନା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିପାରେ। ଶିବସେନା ନେତା ଗଜାନନ କିରିତକର ଏହି ସୂଚନା ଦେଇଛନ୍ତି।
ତେବେ ଦଳର ରାଜ୍ୟସଭା ସାଂସଦ ତଥା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ ମାତୋଶ୍ରୀରେ ହୋଇଥିବା ବୈଠକରେ ଦଳର ୧୫ ଜଣ ସାଂସଦ ଯୋଗଦେଇଛନ୍ତି। ହେଲେ ସେ ବୈଠକ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନାହାନ୍ତି। ଶିବସେନାର ୧୮ ଜଣ ନେତା ମହାରାଷ୍ଟ୍ରରୁ ଲୋକସଭାକୁ ଯାଇଥିବା ବେଳେ କାଲାବେନ ଦେଲକର ଦଳୀୟ ଟିକେଟରେ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାର ଅର୍ଥ ଲୋକସଭାରେ ଦଳର ୧୯ ଜଣ ସାଂସଦ ଅଛନ୍ତି।
ଗଜାନନ କହିଛନ୍ତି, ବୈଠକରେ ୧୩ ଜଣ ସାଂସଦ ଉପସ୍ଥିତି ରହିଥିଲେ। ସଞ୍ଜୟ ଯାଦବ, ସଞ୍ଜୟ ମାଣ୍ଡଲିକ ଓ ହେମନ୍ତ ପାଟିଲ ବୈଠକକୁ ଆସି ନାହାନ୍ତି। ତେବେ ସେମାନେ ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତିରେ ଏକମତ ରହିଛନ୍ତି। ଦ୍ରୌପଦୀ ମୁର୍ମୁ ଏନଡିଏର ପ୍ରାର୍ଥୀ। କିନ୍ତୁ ସେ ଜଣେ ଆଦିବାସୀ ମହିଳା। ଦଳର ସବୁ ସାଂସଦ ତାଙ୍କୁ ସମର୍ଥନ ଦେବାକୁ ବୈଠକରେ ମତ ରଖିଛନ୍ତି। ଉଦ୍ଧବ ଠାକରେ ଆମକୁ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଦିନେ କିମ୍ବା ଦୁଇ ଦିନ ଭିତରେ ଜଣାଇବେ।
ଆମେ ୟୁପିଏ ପ୍ରାର୍ଥୀ ପ୍ରତିଭା ପାଟିଲଙ୍କୁ ସମର୍ଥନ କରିଥିଲୁ। କାରଣ ସେ ମରାଠୀ ମହିଳା। ଆମେ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ସମର୍ଥନ କରିଥିଲୁ। ଏବେ ଉଦ୍ଧବ ଠାକରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିବେ। କାରଣ ସେ ଜଣେ ଆଦିବାସୀ ମହିଳା। ଆମେ ରାଷ୍ଟ୍ରପତି ନିର୍ବାଚନକୁ ରାଜନୀତିକୁ ଉପରେ ରହି ଦେଖିବାକୁ ଦରକାର ବୋଲି ଗଜାନନ କହିଛନ୍ତି।
ଆଜିର ବୈଠକରେ ଲୋକସଭା ସାଂସଦ ଭାବନା ଗାୱାଲି ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଯୋଗ ଦେଇ ନଥିଲେ।

nis-ad
Leave A Reply

Your email address will not be published.