ଅବସର ପ୍ରାପ୍ତ ପୌର କର୍ମଚାରୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ତିନି ଗିରଫ

ଦେବଗଡ଼: ଦେବଗଡ଼ ପୌର ପରିଷଦର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବାକି ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରାଯାଇ ଜଣେ ମହିଳାଙ୍କ ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ଭୁବନ ମୋହନ ନାଏକ, ଓମ ପ୍ରକାଶ ସାହୁ ଓ ଅମୃତି ସାହୁ। ପୌର ପରିଷଦରେ କାର୍ଯ୍ୟ କରି ୨୦୧୯ ମସିହାରେ ଅବସର ନେଇଥିବା କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ଅବସରକାଳୀନ ବାକି ଟଙ୍କାକୁ ହଡପ ନେଇ ଜୁନ ମାସ ୧୫ ତାରିଖରେ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା।

ଜଗବନ୍ଧୁ ୨୦୧୯ ମସିହାରେ କାର୍ଯ୍ୟରୁ ଅବସର ନେଇଥିବା ବେଳେ ତାଙ୍କର ବାକି ଟଙ୍କା ମିଳିନଥିଲା। ଏନେଇ ସେ ବାରମ୍ବାର ବିଭାଗୀୟ କାର୍ଯ୍ୟାଳୟକୁ ଯିବା ପରେ ୩ ଲକ୍ଷ ଟଙ୍କା ମିଳିଥିଲା। ସେହି ଟଙ୍କାରୁ ପୌର ପରିଷଦରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀ ମଧ୍ୟ ଭାଗ ନେଇଥିଲେ। ପରେ ଜଗବନ୍ଧୁଙ୍କର ଆହୁରି ତେର ଲକ୍ଷରୁ ଅଧିକ ବାକି ସରକାରୀ ଟଙ୍କା ଆସିଥିବା ବେଳେ ଏହାକୁ ଦୁଇଟି ଅଲଗା ଆକାଉଣ୍ଟକୁ ପଠାଇ ହଡ଼ପ କରାଯାଇଥିଲା। ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଏକାଉଣ୍ଟାଣ୍ଟ ବିନୋଦ ନାଗଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଜଗବନ୍ଧୁ ଦେବଗଡ଼ ଆଦର୍ଶ ଥାନାରେ ପହଞ୍ଚି ତତ୍କାଳୀନ ପୌର ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ନିର୍ବାହୀ ଅଧିକାରୀ ଅତସୀ ପରିଡା, ଏକାଉଣ୍ଟାଣ୍ଟ ବିନୋଦ ନାଗ ଓ ମୁଖ୍ୟ କିରାଣୀ ଅଶ୍ବିନୀ ବେହେରାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଏହି ଘଟଣା ନେଇ ପୌର ପରିଷଦର ନବନିର୍ବାଚିତ ବିଜେପି କାଉନସିଲରମାନେ ଏସପିଙ୍କୁ ଭେଟି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ତଦନ୍ତ ସମୟରେ ଅବସରପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ଅବସରକାଳୀନ ବିଭିନ୍ନ ବାକି ଟଙ୍କାକୁ ଆକାଉଣ୍ଟାଣ୍ଟ ବିନୋଦ ଅନ୍ୟ ଦୁଇଜଣ ଭୁବନ ମୋହନ ନାଏକ ଓ ଅମୃତି ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇ ଦିଆଯାଇଥିବା ସେ ଅଭିଯୋଗ କରିଥିଲେ। ନବନିର୍ବାଚିତ ପ୍ରତିନିଧିମାନେ ଏହି ଘଟଣାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ୩ ଙ୍କୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିନୋଦ ନାଗ ବର୍ତ୍ତମାନ ମଧ୍ୟ ଫେରାର ଅଛନ୍ତି |

nis-ad
Leave A Reply

Your email address will not be published.