ଉଦ୍ଧବ ଠାକରେ ଏବେ ବି ସେନା ମୁଖ୍ୟ ଅଛନ୍ତି; ଶିବସେନା ସାଂସଦ

ମୁମ୍ବାଇ: ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଉଦ୍ଧବ ଠାକରେ ଏବେ ବି ସେନା ମୁଖ୍ୟ ହୋଇ ଅଛନ୍ତି। ଏପରିକି ଏହାର ଅଧିକାଂଶ ବିଧାୟକ ବିଦ୍ରୋହ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲେ ବି ଏହା ସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ କୌଣସି ଭାବେ ପ୍ରଭାବିତ କରିପାରିବ ନାହିଁ। ଉଦ୍ଧବ ସେନାର ମୁଖ୍ୟ ଥିଲେ ଓ ଏବେ ବି ମୁଖ୍ୟ ହୋଇ ରହିବେ ବୋଲି କହିଛନ୍ତି ସାଂସଦ ସାଓ୍ଵନ୍ତ।
ସାୱନ୍ତ ଗଣମାଧ୍ୟମକୁ କହିଛନ୍ତି, ଏକ ରାଜନୈତିକ ଦଳ ଭାବରେ ଶିବସେନା ଏବଂ ସେନା ବିଧାନସଭା ଦଳ ହେଉଛି ଦୁଇଟି ଭିନ୍ନ ସଂସ୍ଥା ଏବଂ ସେ ଦାବି କରିଛନ୍ତି ଯେ ବିଦ୍ରୋହୀ ଗୋଷ୍ଠୀକୁ ଏପର୍ଯ୍ୟନ୍ତ ଦଳୀୟ ସ୍ୱୀକୃତି ମିଳିନାହିଁ। ସେ କହିଛନ୍ତି, ଯଦିଓ ଦୁଇ ତୃତୀୟାଂଶ ବିଧାୟକ ବିଦ୍ରୋହୀ ନେତା ସିନ୍ଦେଙ୍କ ସହିତ ଯାଆନ୍ତି, ତେବେ ବି ଉଦ୍ଧବ ଠାକରେ ସେନା ମୁଖ୍ୟ ହୋଇ ରହିବେ ଏବଂ ଆଇନ ଅନୁଯାୟୀ, କେବଳ ସେ ହିଁ ବିଧାନସଭା ଦଳର ନେତା ନିଯୁକ୍ତ କରିପାରିବେ। କୌଣସି ପରିସ୍ଥିତିରେ କେହି ବି ଠାକରେ ଏବଂ ଶିବସେନାକୁ ଅଲଗା କରିପାରିବେ ନାହିଁ ବୋଲି ସାୱନ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବରାଓ ପାଟିଲ ବୁଧବାର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଦଳର ‘ଧନୁ ଏବଂ ତୀର’ ନିର୍ବାଚନ ପ୍ରତୀକର ପ୍ରକୃତ ଦାବିଦାର। ପାଟିଲ ଏହା ମଧ୍ୟ କହିଥିଲେ ଯେ ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସିନ୍ଦେ ନେତୃତ୍ୱାଧୀନ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି। ତେବେ, ଦଳବଦଳ ନିିରୋଧୀ ଆଇନ ଅନୁଯାୟୀ, ବିଦ୍ରୋହୀ ବିଧାୟକମାନଙ୍କୁ ତୁରନ୍ତ ଅନ୍ୟ ଏକ ଦଳ ସହିତ ସେମାନଙ୍କ ଗୋଷ୍ଠୀକୁ ମିଶ୍ରଣ କରିବାକୁ ପଡିବ ବୋଲି ଠାକରେ ଶିବିରର ଆଇନଗତ ସାମ୍ମୁଖ୍ୟ ପରିଚାଳନା କରୁଥିବା ସାୱନ୍ତ କହିଛନ୍ତି।
ବିଦ୍ରୋହୀମାନେ ସେମାନଙ୍କ ଗୋଷ୍ଠୀକୁ ଅନ୍ୟ ଦଳ ସହିତ ମିଶ୍ରଣ କରିନାହାଁନ୍ତି। ସେମାନଙ୍କର କୌଣସି ସ୍ୱୀକୃତି ନାହିଁ। ଆଇନ କହୁଛି ଯେ ସେମାନଙ୍କୁ ଏକ ରାଜନୈତିକ ଦଳ ସହିତ ମିଶ୍ରଣ କରିବାକୁ ପଡିବ ବୋଲି ସାୱନ୍ତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାସରେ ସିନ୍ଦେଙ୍କ ନେତୃତ୍ୱରେ ଅଧିକାଂଶ ସେନା ବିଧାୟକ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହ କରି ଏନସିପି ଏବଂ କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରିବାକୁ କହିଥିଲେ।

nis-ad
Leave A Reply

Your email address will not be published.