ଟୁଙ୍ଗୁରୁ ଓ ବର୍ଷାଙ୍କୁ ଗିରଫ ଦାବିରେ ବିଭିନ୍ନ ଥାନାର ଦ୍ବାରସ୍ଥ ହେଲା ଅନଲାଇନ ଅଟୋ ଚାଳକ ସଂଘ

ଭୁବନେଶ୍ବର: ସୋସିଆଲ ମିଡିଆରେ ବର୍ଷା ଓ ଟୁଙ୍ଗୁରୁ ଭୋଳର ପ୍ରେମ କାହାଣୀକୁ ନେଇ ନିଜକୁ ଲଜ୍ଜିତ ଅନୁଭବ କରୁଛି ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଂଘ । ଗାଁଠୁ ସହରରେ ଏହି ନାଁ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଉଭୟଙ୍କୁ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ ଶଦ୍ଦ ଏବଂ ଫଟୋ । ତେବେ ନିଜର ବ୍ୟବସାୟିକ ଫାଇଦା ପାଇଁ କିଛି ସଙ୍ଗୀତ ନିର୍ଦ୍ଦେଶକ ମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ମ୍ୟୁଜିକ ଭିଡିଓ ତିଆରି କରିଛନ୍ତି ।

ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ମଧ୍ୟ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭର ମାନେ ମଧ୍ୟ ଏବେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ସଂଘ । ଏହା ଦ୍ବାରା ତାଙ୍କର ରୋଜଗାରରେ ବାଧା ସୃଷ୍ଟି ହେଉଥିବା ସଂଘ କହିଛି ।

ଯାହାକୁ ବିରୋଧ କରି ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଏବେ ବିଭିନ୍ନ ଥାନାରେ ଅଭିଯୋଗ କରିଛି । ଏ ନେଇ ଅଟୋ ଗ୍ରୁପର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ କହିଛନ୍ତି ଯେ, ଟୁଙ୍ଗୁରୁ ଲାଗି ଅଟୋ ଡ୍ରାଇଭରମାନଙ୍କ ମାନ ସମ୍ମାନ ଉପରେ ଆଘାତ ଲାଗିଛି । ଟୁଙ୍ଗୁରୁ ଭୋଳକୁ ରାତାରାତି ଷ୍ଟାର ବନାଇ ଓଡ଼ିଆ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି ଆଲବମ ନିର୍ମାତାମାନେ । ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ପ୍ରତ୍ୟେକ ଡ୍ରାଇଭର ଭାଇମାନେ ଏହି ଗୀତ ଦ୍ବାରା ନିଜକୁ ଅତି ଲଜ୍ଜିତ ଓ ଅପମାନିତ ମନେ କରୁଛନ୍ତି । ସମାଜସେବା କ୍ଷେତ୍ରରେ ଡ୍ରାଇଭର ଭାଇମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଉଦାହରଣ ସୂରୁପ ବିନା ମୂଲ୍ୟରେ ରକ୍ତ ଦେଇ ରୋଗୀର ଜୀବନ ବଞ୍ଚାଇବା, ଦୁର୍ଘଟଣା ଗସ୍ତ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା ଭଳି କାମ କରୁଛନ୍ତି ।

ମାତ୍ର ବର୍ଷା ଓ ଟୁଙ୍ଗୁରୁକୁ ନେଇ ଗୀତ ହେବା ପରେ ରାସ୍ତାରେ ଅଟୋ ଚଳାଇବା ବେଳେ ଟାହି ଟାପରା ଓ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ଯାହାଦ୍ବାରା ରୋଜଗାର କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ଏଣୁ ଏଭଳି ସମସ୍ୟା ଉପରେ ତଦନ୍ତ କରି ଗୀତ ଗୁଡ଼ିକୁ ବନ୍ଦ କରିବା ଏବଂ ଉଭୟଙ୍କୁ ଗିରଫ କରିବାକୁ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ଦାବି କରିଛି । ଏହାର ସମାଧାନ ନହେଲେ ଆଗାମୀ ଦିନରେ ଚକା ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ ।

nis-ad
Leave A Reply

Your email address will not be published.