ଶାବର ଶ୍ରୀକ୍ଷେତ୍ର ରେ ଘୋଷଯାତ୍ରା

କୋରାପୁଟ: କୋରାପୁଟର ଶାବର ଶ୍ରୀକ୍ଷେତ୍ର ରଥ ଯାତ୍ରାକୁ ୫୦ବର୍ଷ ପୂର୍ତ୍ତି ବଡ଼ଦାଣ୍ଡରେ ଦୁଇ ବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ବଡ ଦାଣ୍ଡରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ବଳିତ ହୋଇ ପଡିଛନ୍ତି ହଜାର ହଜାର ଭକ୍ତ । ବଡ ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ।

ଘୋଷଯାତ୍ରାରେ ଦୁଇ ବର୍ଷ ଧରି ଖାଲି ପଡ଼ିଥିବା କୋରାପୁଟର ରାଜରାସ୍ତାର ବଡ଼ଦାଣ୍ଡ ପୁଣି ଥରେ ଜୟ ଜଗନ୍ନାଥ, ହରିବୋଲ, ବାଜା ବାଜେଣା, ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୋଇଛି । ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେଇଛନ୍ତି । ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କୁ ସ୍ପର୍ଶ କରିବାକୁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏପଟେ ନିର୍ଧାରିତ ସମୟ ମଧ୍ୟରେ ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆସି ରଥାରୂଢ ହୋଇଥିଲେ ।

ପରମ୍ପରା ଅନୁଯାୟୀ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପହଣ୍ଡି ବିଜେ ପରେ ତିନି ରଥରେ ରଥାରୁଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ତିନୋଟି ରଥରେ ତିନି ଆଦିବାସୀ ଗାଁ ମୁଖିଆ କଲେ ଛେରା ପହଁରା । ଜଗନ୍ନାଥଙ୍କ ରଥରେ ରଂଗବାଲି କୁମ୍ଭାର ଦାଶୀ ନାୟକ, ସୁଭଦ୍ରାଙ୍କ ରଥରେ ଲକ୍ଷ୍ମୀପୁର ବ୍ଲକର ଖଜୁରୀପୁଟ ଗ୍ରାମ ସାଧୁ ସାଉନ୍ତା, ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡିଙ୍ଗି ଛେରା ପହଁରା କରିଥିଲେ। ଉପରକଣ୍ଡାପାଲି ଗ୍ରାମର ଶବର ସମ୍ପ୍ରଦାୟର କୋଣ୍ଡା ଦୋରାଙ୍କ ଅଣାଯାଇଥିବା ପଣସ, ଆମ୍ବ, ସପୁରି ଫଳକୁ ପ୍ରଥମେ ଭୋଗ ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ଲାଗି କରାଯାଇଥିଲା । ରଥରେ କୋରାପୁଟ ଜିଲ୍ଲାର ୩୦ରୁ ଉର୍ଦ୍ଧ୍ବ ଗାଁ ନାୟକଙ୍କୁ ଶିରିପା ବନ୍ଧନ କରାଯାଇ ସମ୍ମାନୀତ କରାଯାଇଥିଲା । ପରେ ନିର୍ଦ୍ଧାରିତ ସମୟ ଭିତରେ ରଥ ଟଣା ହୋଇଥିଲା।

କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି ନିଜେ ଉପସ୍ଥିତ ରହିଥିଲେ। ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଉପଜିଲ୍ଲାପାଳଙ୍କ ସମେତ ମନ୍ଦିର କମିଟି ସଦସ୍ୟମାନେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । କଡା ସୁରକ୍ଷା ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାର ସୁବ୍ୟବସ୍ଥିତ କରାଯାଇ ରଥ ଟଣାଯାଇଥିଲା ।

nis-ad
Leave A Reply

Your email address will not be published.