କାଲିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌: ବୁମ୍‌ରା କ୍ୟାପ୍ଟେନ, ପନ୍ତ ଡେପୁଟି

ବର୍ମିଂହାମ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମ୍ୟାଚ୍‌ ଖେଳିବାକୁ ଉପଲବ୍ଧ ହେବେ ନାହିଁ। ତାଙ୍କ ବଦଳରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଅଧିନାୟକ ଦାୟିତ୍ୱ ତୁଲାଇବେ।
କପିଲ ଦେବଙ୍କ ପରେ କୌଣସି ଦ୍ରୁତ ବୋଲରଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଏଜବାଷ୍ଟନ ମୈଦାନକୁ ଓହ୍ଲାଇବ। ବୁମ୍ରା ଅଧିନାୟକ ଦାୟିତ୍ୱ ପାଇଥିବା ବେଳେ ଋଷଭ ପନ୍ତ ତାଙ୍କୁ ଡେପୁଟି ଭାବେ ମ୍ୟାଚ୍‌ ପରିଚାଳନା କରିବେ। ଆଜି ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଅଭ୍ୟାସ ମ୍ୟାଚ୍‌ ବେଳେ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଏଯାଏ ସୁସ୍ଥ ହୋଇ ନାହାନ୍ତି। ଏହି କାରଣରୁ ବୁମ୍ରାଙ୍କୁ ନ୍ୟାଶନାଲ ଚୟନ କମିଟି ଅଧିନାୟକ ଦାୟିତ୍ୱ ଦେଇଛି। ସେହିପରି ପନ୍ତ ଆସନ୍ତାକାଲି ମ୍ୟାଚ୍‌ରେ ତାଙ୍କ ଡେପୁଟି ଭାବେ କାମ କରିବେ।
ଅଧିନାୟକ ପଦ ପାଇବା ପରେ ବୁମ୍‌ରା କହିଛନ୍ତି, “ଏହା ମୋ ପାଇଁ ବଡ଼ ସମ୍ମାନର ବିଷୟ। ଏହା ମୋ ପାଇଁ ବଡ଼ ଉପଲବ୍ଧି। ଆମେ ଆଜି ସକାଳେ କରୋନା ଟେଷ୍ଟ କରିଥିଲୁ। ରୋହିତଙ୍କ ରିପୋର୍ଟ ପୁଣି ପଜିଟିଭ ଆସିଛି। ଏହାପରେ ମୋତେ ବିଧିବଦ୍ଧ ଭାବେ ଟିମ୍‌ର ନେତୃତ୍ୱ ନେବାକୁ କୁହାଯାଇଛି।”
ଗତବର୍ଷ ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜ୍‌ର ନେତୃତ୍ୱ ବିରାଟ କୋହଲି ନେଇଥିଲେ। ସିରିଜ୍‌ରେ ଖେଳା ଯାଇଥିବା ୪ଟି ମ୍ୟାଚ୍‌ ମଧ୍ୟରୁ ଭାରତ ୨ଟିରେ ଜିତିଛି ଓ ଇଂଲଣ୍ଡ ଗୋଟିଏରେ ବାଜିମାତ କରିଛି। ୫ ଟିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ କରୋନା ଯୋଗୁ ବନ୍ଦ ରହିଥିଲା। ଏଥିପାଇଁ ଭାରତ ଏବେ ବାକି ରହିଥିବା ଶେଷ ମ୍ୟାଚ୍‌ ଇଂଲଣ୍ଡ ସହ ୧ ତାରିଖରୁ ଖେଳିବ। ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ଯଦି ଦଳ ଶେଷ ମ୍ୟାଚ୍‌କୁ ଜିତିବ କିମ୍ବା ଡ୍ର କରିବ, ତା’ହେଲେ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହେବ। କାରଣ ୨୦୦୭-୦୮ ପରେ ଭାରତୀୟ ଟିମ୍‌ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇନି। କିନ୍ତୁ ରୋହିତ ଶର୍ମା କରୋନା ଯୋଗୁ ବାଦ ପଡ଼ିବା ଓ କେଏଲ ରାହୁଲ ଦଳରେ ନ ରହିବା ଟିମ ଇଣ୍ଡିଆର ଚିନ୍ତାକୁ ବଢ଼ାଇ ଦେଇଛି। ଦୁଇ ବରିଷ୍ଠ ଖେଳାଳି ନଥିବାରୁ ଏବେ ସବୁ ଦାୟିତ୍ୱ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଚେତେଶ୍ୱର ପୂଜାରାଙ୍କ ଉପରେ ରହିବ।

nis-ad
Leave A Reply

Your email address will not be published.