ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ସୁନ୍ଦରଗଡ଼, (୨୯/୦୬) : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜିଲ୍ଲାରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିସ୍ତୃତ ସମୀକ୍ଷା କରିଛନ୍ତି। ବୁଧବାର ଦିନ ବିଭିନ୍ନ ଜିଲ୍ଲାସ୍ତରୀୟ କମିଟିର ବୈଠକରେ ସେ ଅଧ୍ୟକ୍ଷତା କରିବା ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଥିଲେ। ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଲୋକେ କିପରି ଏହାର ସୁଫଳ ପାଇପାରିବେ, ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ଦିନ ସୁନ୍ଦରଗଡ଼ ସ୍ଥିତ ସଦ୍‌ଭାବନା ଭବନଠାରେ ଅନୁଷ୍ଠିତ କ୍ୱାଲିଟି ଆସିଓରାନ୍ସ କମିଟି ବୈଠକରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବା ସହ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ଉପରେ ସେ ଗୁରୁତ୍ୱରୋପ କରିଥିଲେ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଲ୍ଲାରେ କୋଭିଡ୍ ସଂକ୍ରମଣରେ ବୃଦ୍ଧି ନହେବା ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ବୈଠକରେ ପରାମର୍ଶ ଦେଇଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପାଇଥିବା କାୟାକଳ୍ପ, ଇକୋ ଫ୍ରେଣ୍ଡଲି ହସ୍‌ପିଟାଲ ଓ ଲକ୍ଷ୍ୟ ପୁରସ୍କାର ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଏଭଳି ସଫଳତାକୁ ବଜାୟ ରଖିବା ସହ ଆଗାମୀ ଦିନରେ ଲୋକେ କିପରି ଅଧିକ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରାକ୍ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଲିଙ୍ଗ ନିରୂପଣ ନିରୋଧ ଆଇନକୁ ଜିଲ୍ଲାରେ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଜିଲ୍ଲାରେ ଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ ଓ ନର୍ସିଂହୋମ୍‌ଗୁଡ଼ିକରେ ନିୟମିତ ଯାଞ୍ଚ କରିବା ଲାଗି ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଲିଙ୍ଗଭେଦ ଭାବନା ଦୂର କରି ଶିଶୁକନ୍ୟାଙ୍କ ପ୍ରତି ସମଭାବନା ଆଣିବା ଜରୁରୀ। ଏଥିପାଇଁ ଆଶାକର୍ମୀମାନେ ଲୋକଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ବର୍ତ୍ତମାନର ଲିଙ୍ଗ ଅନୁପାତ ସ୍ଥିତି ତଦାରଖ ପାଇଁ ସମସ୍ତ ପଞ୍ଜୀକୃତ ଘରୋଇ କ୍ଲିନିକଗୁଡ଼ିକ ପ୍ରସବର ବିବରଣୀ ପ୍ରତି ମାସ ଶେଷରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଦାନ କରିବେ। ଏନେଇ ଜିଲ୍ଲାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଅଲଟ୍ରାସାଉଣ୍ଡ କ୍ଲିନିକଗୁଡ଼ିକର ଲାଇସେନ୍ସ ନବୀକରଣ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଏଡିଏମ୍‌ଓ ,ଏଡିପିଏଚ୍‌ଓ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଏନ୍‌ଏଚ୍‌ଏମ୍ ଡିପିଏମ,ଶିଶୁରୋଗ ବିଶେଷଜ୍ଞ ,ଏଏସ୍‌ପି ଉଗ୍ରସେନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ବୁଧବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। ସେଠାକାର ଓପିଡି ଓ ଆଇପିଡି, ନିଃଶୁଳ୍କ ଡାୟାଲିସିସ୍ ସେବା କେନ୍ଦ୍ର, ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହିତ ସେ ରୋଗୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଅତ୍ୟାଧୁନିକ ପୁନର୍ବାସ ସେବା କେନ୍ଦ୍ର (ଏଆର୍‌ସି) ମଧ୍ୟ ପରିଦର୍ଶନ କରି କୃତ୍ରିମ ଅଙ୍ଗ ପ୍ରତିରୋପଣ ଓ ପୁନର୍ବାସ ସେବା ଦ୍ୱାରା ଭିନ୍ନକ୍ଷମମାନଙ୍କୁ ପୁଣିଥରେ ସଶକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅପରାହ୍ନରେ ଜିଲ୍ଲାପାଳ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଥିବା ଅତ୍ୟାଧୁନିକ ଭୌତିକ ଚିକିତ୍ସା ସେବା କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଥିବା ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଥେରାପି ଉପକରଣ ବୁଲି ଦେଖିବା ସହ ଥେରାପିଷ୍ଟମାନଙ୍କ ସହ କେନ୍ଦ୍ରରେ ମିଳୁଥିବା ସେବା ସମ୍ପର୍କରେ ଆଲୋଚନା କରିଥିଲେ।

nis-ad
Leave A Reply

Your email address will not be published.