ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୪ ଶିଶୁ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଘଟିଛି ଦୁଃଖଦ ଘଟଣା। ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ଜମିଥିବା ପାଣିରେ ବୁଡ଼ି ୪ ଜଣ ଛୋଟ ପିଲାମାନଙ୍କ ଜୀବନ ଯାଇଛି। ମୃତକ ମଧ୍ୟରେ ୩ ଝିଅ ଓ ଜଣେ ପୁଅ ରହିଛନ୍ତି। ମୃତକଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ। ଘଟଣା ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ନିକଟରେ ଏହି ଅଘଟଣ ଘଟିଛି। ଓଡପୁର ଓ ମାଝୀଗୁଡ଼ା ଗାଁ ମଧ୍ୟରେ ଏବେ ଭାରତମାଳା ପ୍ରକଳ୍ପ ଅଧୀନରେ ରାସ୍ତା ନିର୍ମାଣ କାମ ଚାଲିଛି। ଏଥିପାଇଁ ଠିକାଦାର ଜଣଙ୍କ ଜେସିବି ଦ୍ୱାରା ମାଟି ଖୋଳି ଗାତ କରିଥିଲେ। ଗତକାଲି ରାତିରେ ପ୍ରବଳ ବର୍ଷା ହେବାରୁ ଗାତରେ ପାଣି ଭର୍ତ୍ତି ହୋଇଯାଇଥିଲା। ଆଜି ସକାଳୁ କିଛି ଛୋଟ ପିଲା ଉକ୍ତ ଗାଢ଼ ନିକଟରେ ଥିବା ଉଚ୍ଚସ୍ଥାନରେ ଖେଳୁଥିଲେ। କିନ୍ତୁ ଖେଳିବା ବେଳେ ଅସାବଧାନତା ଯୋଗୁ ପାଣି ଭର୍ତ୍ତି ଗାତ ମଧ୍ୟକୁ ଖସି ପଡ଼ିଥିଲେ।

ଗାଁ ଲୋକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିନ୍ତୁ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଗାଁ ଲୋକମାନେ ଗାତ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରି ସାରିଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନେ ଆଖି ବୁଜିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାତରେ କେବଳ ୪ ଜଣ ପିଲା ଖସି ପଡ଼ିଥିଲେ ନା ଏହି ସଂଖ୍ୟା ଅଧିକ ରହିଥିଲା, ସେକଥା ଜଣାପଡ଼ିନି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାତରୁ ପାଣି ବାହାର କରି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଉଦ୍ଧାର କାର୍ଯ୍ୟ ପରେ ବିସ୍ତୃତ ତଥ୍ୟ ପ୍ରଶାସନ ପକ୍ଷରୁ ଦିଆଯିବ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କୋରାପୁଟ ଏସଡିପିଓ ଓ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.