ଆସାମ ବନ୍ୟା ବିଭୀଷିକା, ଗଲାଣି ୬୨ ଜଣଙ୍କ ଜୀବନ

ଦିସପୁର: ଆସାମରେ ବନ୍ୟା ବିଭୀଷିକା। ଚାରିଆଡେ ହାହାକାର। ବନ୍ୟା ଯୋଗୁ ପାଣି ଘେରରେ ଫସିଛି ଲକ୍ଷ ଲକ୍ଷ ଜୀବନ। ଏଠାରେ ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍ଖଳନରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛନ୍ତି।
ଏହି ୮ ଜଣଙ୍କ ମଧ୍ୟରୁ କରିମଗଞ୍ଜରୁ ୨ଜଣ ଏବଂ ହୌଲକାଣ୍ଡି ଜିଲ୍ଲାରେ ଭୂସ୍କଳନରେ ଜଣେ ଜୀବନ୍ତ ପୋତି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ପାଣିରେ ବୁଡି ଅନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏଥିମଧ୍ୟରୁ ୫୧ ଜଣ ବନ୍ୟା ଯୋଗୁ ଓ ଆଉ ୧୧ ଜଣ ଭୂସ୍ଖଳନ ଯୋଗୁ ପ୍ରାଣ ହରାଇଛନ୍ତି। ରାଜ୍ୟର ୩୨ ଜିଲ୍ଲାରେ ୪,୨୯୧ ଗାଁରେ ୩୦ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ଆସାମର ମୁଖ୍ୟ ନଦୀ ବ୍ରହ୍ମପୁତ୍ର ଓ ତା’ର ସହାୟକ ନଦୀରେ ଜଳସ୍ତର ବଢ଼ି ୪୦୦୦ରୁ ଅଧିକ ଗାଁରେ ପସିଛି। ଫଳରେ ପ୍ରାୟ ୬୬୪୫୫ ହେକ୍ଟରରୁ ଅଧିକ ଫସଲ ବନ୍ୟାରେ ପାଣି ନଷ୍ଟ ହୋଇଯାଇଛି।
ସେପଟେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୫୧୪ଟି ରିଲିଫ କ୍ୟାମ୍ପ ଏବଂ ୩୦୨ଟି ରିଲିଫ ବଣ୍ଟନ କେନ୍ଦ୍ର ଖୋଲାଯାଇଛି। ଏହି ରିଲିଫ୍ କ୍ୟାମ୍ପରେ ସମୁଦାୟ ୧,୫୬,୩୬୫ ଲୋକ ଆଶ୍ରୟ ନେଉଛନ୍ତି।
ଅନ୍ୟପକ୍ଷରେ ପଡୋଶୀ ରାଜ୍ୟ ମେଘାଳୟରେ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଛି। ଶନିବାର ଦିନ ପଶ୍ଚିମ ତ୍ରିପୁରାରେ ଲଗାତାର ବର୍ଷା ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଇଛି। ତ୍ରିପୁରା ସରକାର ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରିବା ପାଇଁ ଏନଡିଆରଏଫ, ଆସାମ ରାଇଫଲ୍ସ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଅଗରତାଲାର ରିଲିଫ କ୍ୟାମ୍ପରେ ଶହ ଶହ ଲୋକ ଆଶ୍ରୟ ନେଇଛନ୍ତି। ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫୋନ ଯୋଗେ ହିମନ୍ତଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.