ଗୁରୁଦ୍ୱାରରେ ଆଖିବୁଜା ବିସ୍ଫୋରଣ, ଫସି ରହିଛନ୍ତି ବହୁ ଲୋକ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଏକ ଗୁରୁଦ୍ୱାରରେ ଆଜି ସକାଳେ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ରାର୍ଥନା ନିମନ୍ତେ ଗୁରୁଦ୍ୱାରକୁ ୩୦ରୁ ଊର୍ଦ୍ଧ୍ୱ ଲୋକ ଯାଇଥିବା ବେଳେ ଏହି ବିସ୍ଫୋରଣ ହୋଇଛି। ଏହି ବ୍ଲାଷ୍ଟିଂ ଯୋଗୁ ଗୁରୁଦ୍ୱାରର ମୁସଲିମ ସୁରକ୍ଷା ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ବହୁ ଲୋକ ଭିତରେ ଫସି ରହିଛନ୍ତି। କିଛି ଆତଙ୍କବାଦୀ ଭିତରେ ଲୁଚି ରହିଥିବା ବେଳେ ଭିତରୁ ଫାୟାରିଂ ଶବ୍ଦ ଶୁଣିବାକୁ ମିଳୁଛି। ଏହାପଛରେ ଆଇଏସ୍‌ଆଇଏସ୍‌ ହାତ ଥିବା ଜଣାପଡ଼ିଛି।
ସକାଳ ପ୍ରାର୍ଥନା ନିମନ୍ତେ କାବୁଲସ୍ଥିତ କରତେ ପରବାନ ଗୁରୁଦ୍ୱାର କମିଟିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆଫଗାନୀ ହିନ୍ଦୁ ଓ ଶିଖ ଧର୍ମାବଲମ୍ବୀ ଉପସ୍ଥିତ ଥିଲେ। ଅଚାନକ କିଛି ଆତଙ୍କବାଦୀ ଗୁରୁଦ୍ୱାର ପରିସରରେ ପଶି ଆଖିବୁଜା ବିସ୍ଫୋରଣ ଘଟାଇବା ସହ ଗୁଳି ଚଳାଇଥିଲେ। ଏହାଦେଖି ୧୫ରୁ ଊର୍ଦ୍ଧ୍ୱ ଲୋକ ତୁରନ୍ତ ସ୍ଥାନ ଛାଡ଼ ପଳାଇବାରେ ସଫଳ ହୋଇଥିଲେ। ହେଲେ ଅନ୍ୟମାନେ ଭିତରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ତାଲିବାନୀ ସୈନିକଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି। ଏବେ ବି ୨ରୁ ୩ ଆତଙ୍କବାଦୀ ଗୁରୁଦ୍ୱାରରେ ଲୁଚି ରହିଥିବା ଜଣାଯାଇଛି। ଭିତରୁ ଫାୟାରିଂ ଶବ୍ଦ ଶୁଣିବାକୁ ମିଳୁଛି। ତାଲିବାନ ସୈନିକ ଗୁରୁଦ୍ୱାରକୁ ଚତୁଃପାର୍ଶ୍ୱରୁ ଘେରି ରହିଛନ୍ତି । ଏଠାରେ ଲଗାତର ଭାବେ ୫ରୁ ୭ଟି ବ୍ଲାଷ୍ଟ ହୋଇ ସାରିଥିବା ବେଳେ ଗୁରୁଦ୍ୱାର ଚତୁଃପାର୍ଶ୍ୱରେ ନିଆଁ ଲାଗି ଯାଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୂରା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସମଗ୍ର ପରିସ୍ଥିତି ଉପରେ ନଜର ରଖାଯାଉଛି। ଏନେଇ ମୁଖପାତ୍ର କହିଛନ୍ତି, କାବୁଲର ଏକ ପବିତ୍ର ଗୁରୁଦ୍ୱାର ଉପରେ ଆକ୍ରମଣ ଖବର ପାଇ ଆମେ ଗଭୀର ଭାବରେ ମର୍ମାହତ ହୋଇପଡ଼ିଛୁ । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରିଛୁ।

nis-ad
Leave A Reply

Your email address will not be published.