ବିରୋଧୀଙ୍କୁ ଲୋକେ କରିପାରନ୍ତି ପ୍ରଶ୍ନ: ଦକ୍ଷ ରାଷ୍ଟ୍ରପତି ପ୍ରାର୍ଥୀ ଦେଇପାରୁନ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କେମିତି ବାଛିବ

ମୁମ୍ବାଇ: ‘ବିରୋଧୀ ଦଳଗୁଡ଼ିକ ଆସନ୍ତା ରାଷ୍ଟ୍ରପତି ନିର୍ବାଚନକୁ ଗୁରୁତ୍ୱର ସହିତ ନେବା ଦରକାର। ଯଦି ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ଜଣେ ବଳିଷ୍ଠ ପ୍ରାର୍ଥୀ ଛିଡ଼ା କରି ନପାରିବେ, ତା’ହେଲେ ୨୦୨୪ ସାଧାରଣ ନିର୍ବାଚନରେ କେମିତି ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେଇପାରିବେ ବୋଲି ଲୋକେ ପ୍ରଶ୍ନ କରିପାରନ୍ତି।’ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକ ଉଦ୍ଦେଶ୍ୟରେ ଶିବସେନାର ମୁଖପତ୍ର ‘ସାମନା’ର ସଂପାଦକୀୟରେ ଏମିତି ଲେଖାଯାଇଛି।
ଏଥିରେ ଲେଖାଯାଇଛି, ବିରୋଧୀ ଦଳଗୁଡ଼ିକ ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧି ଓ ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବା ଉପରେ ବିଚାର କରୁଛନ୍ତି। କିନ୍ତୁ ସେମାନଙ୍କ ନିକଟରେ ସେହି ବ୍ୟକ୍ତିତ୍ୱ ନାହିଁ, ଯାହାକୁ ନେଇ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିପକ୍ଷଙ୍କୁ ଟକ୍କର ଦେଇ ହେବ।
ଏହା ସହିତ କୁହାଯାଇଛି ଯେ ସରକାର ମଧ୍ୟ ସେମିତି କୌଣସି ଜଣେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବେ ନାହିଁ। ୫ ବର୍ଷ ତଳେ ଦୁଇ-ତିନି ଜଣ ବ୍ୟକ୍ତି ମିଶି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାଁ ଉପରେ ମୋହର ମାରିଥିଲେ। ଚଳିତ ବର୍ଷ ବି ସେମିତି କିଛି ହେବ।
କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି ଓ ସମାଜବାଦୀ ପାର୍ଟି ସମେତ ୧୭ଟି ବିରୋଧୀ ଦଳ ଜୁନ୍ ୧୫ ତାରିଖରେ ଦିଲ୍ଲୀରେ ଏକାଠି ହୋଇ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ଭାବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ବିପକ୍ଷରେ ଜଣଙ୍କୁ ପ୍ରାର୍ଥୀ କରିବା ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଅଗ୍ରାହ୍ୟ କରି ଦେଇଥିଲେ।
ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ଆଉ ଏକ ବୈଠକ ମୁମ୍ବାଇରେ ଶରଦ ପାୱାରଙ୍କ ନେତୃତ୍ୱରେ ବସିବ। ଏହି ବୈଠକ ଜୁନ୍ ୨୦ ବା ୨୧ ତାରିଖରେ ହେବ ବୋଲି କୁହାଯାଉଛି।
ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ ଠିକ୍ କରି ପାରି ନଥିବା ବେଳେ ଶିବସେନା ଏହାର ମୁଖପତ୍ର ସାମନର ସଂପାଦକୀୟରେ ଲେଖିଛି ଯେ ଯଦି ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରି ଦେବେ, ତା’ହେଲେ କାହାକୁ କରାଯିବ, ସେ ନେଇ ବିରୋଧୀ ଦଳଗୁଡ଼ିକ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ଥିଲା। ତା’ହେଲେ ଲୋକେ ଜାଣିଥା’ନ୍ତେ ଯେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡ଼ିକ ସତରେ ଚିନ୍ତିତ ଅଛନ୍ତି। ମମତା ବାନାର୍ଜୀ କହୁଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ହେଉଛି ୱାର୍ମଅପ୍ ମ୍ୟାଚ୍‌। ତେଣୁ ରାଷ୍ଟ୍ରପତି ନିର୍ବାଚନକୁ ବିରୋଧୀ ଦଳଗୁଡ଼ିକୁ ଗରୁତ୍ୱର ସହିତ ନେବା ଆବଶ୍ୟକ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି। ନୂଆ ରାଷ୍ଟ୍ରପତି ବାଛିବା ପାଇଁ ଜୁଲାଇ ୧୮ରେ ନିର୍ବାଚନ ହେବ।

nis-ad
Leave A Reply

Your email address will not be published.