ଇଡି ଅଫିସରେ ରାହୁଲ ଥିବା ବେ‌ଳେ ବାହାରେ ଟାୟାର ଜାଳିଲେ କଂଗ୍ରେସ କର୍ମୀ, ୮୦୦ଜଣ ଅଟକ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତୃତୀୟ ଦିନରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିଛି। ନେସନାଲ ‌ହେରାଲ୍ଡ ମାମଲାରେ ଇଡି ରାହୁଲଙ୍କୁ ଜେରା କରୁଛି। ଏହାକୁ ବିରୋଧ କରି ତୃତୀୟ ଦିନ ମଧ୍ୟ ଇଡି ଅଫିସ ବାହାରେ ବିରୋଧ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ। ଇଡି ଅଫିସରେ ରାହୁଲଙ୍କ ପରୀକ୍ଷା ଚାଲିଥିବା ବେ‌ଳେ ବାହାରେ କଂଗ୍ରେସ କର୍ମୀ ଟାୟାର ଜାଳିଥିବା ଜଣାପଡ଼ିିଛି। ଏହା ସହ ଗତ ୩ଦିନ ମଧ୍ୟରେ ୮୦୦ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିସାରିଛି ପୁଲିସ।
ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସିପି ସାଗର ହୁଡା କହିଛନ୍ତି ଯେ ସୋମବାର ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରିବା ପରେ କଂଗ୍ରେସ ସତ୍ୟଗ୍ରାହ ଆରମ୍ଭ କରିଥିଲା। ସେହିଦିନଠାରୁ ପ୍ରାୟ ୮୦୦ ଲୋକଙ୍କୁ ଅଟକ ରଖାଯାଇଛି। ଆଜି ବିରୋଧ ପ୍ରଦର୍ଶନ ପାଇଁ ଦଳ ଅନୁମତି ନେଇ ନାହିଁ ଏବଂ ଧାରା ୧୪୪ ବଳବତ୍ତର ଥିବା ଅଞ୍ଚଳରେ କଂଗ୍ରେସ କର୍ମୀ ଏବଂ ନେତାମାନେ ଏକାଠି ହୋଇଛନ୍ତି। ଫଳସ୍ୱରୂପ, ସେମାନଙ୍କୁ ଅଟକ ରଖାଯାଇଛି। ଗତକାଲି ରାତିରେ ଆମେ ଲିଖିତ ଭାବେ କଂଗ୍ରେସକୁ ଜଣାଇଥିଲୁ ଯେ, ଇଡି ଅଫିସ ଚାରିପାଖରେ ଧାରା ୧୪୪ ଲାଗୁ ହେବା ସହିତ ଆକବର ରୋଡରେ କୌଣସି ସମାବେଶ କରାଯିବ ନାହିଁ। ନୋଟିସ ପାଇ ବି କଂଗ୍ରେସ କର୍ମୀ ଆସି ୧୪୪ ଲାଗୁ ଥିବା ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିବାରୁ ଆମେ ସେମାନଙ୍କୁ ଅଟକ ରଖିଛୁ।
ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀ ଜମି ସହ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ପାଣ୍ଠି ଅକ୍ତିଆର କରିଛନ୍ତି ବୋଲି ‘ବିଜେପି’ ସାଂସଦ ସୁବ୍ରମଣିୟାନ୍ ସ୍ବାମୀ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିବା ପରେ ‘ନ୍ୟାସ୍‌ନାଲ୍‌‌ ହେରାଲଡ୍‌’ ମାମଲା ଲୋକଲୋଚନକୁ ଆସିଥିଲା। ଏହା ପରେ ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧିଙ୍କୁ ସମନ ଜାରି କରିଥିଲା ଇଡି।

nis-ad
Leave A Reply

Your email address will not be published.