ମମତାଙ୍କ ପୁତୁରା ଘରେ ପଶିଲା ସିବିଆଇ

କୋଲକାତା: ଆଗକୁ ରାଷ୍ଟ୍ରପତି ନିର୍ବାଚନ। ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପଶିଛି ସିବିଆଇ। କୋଇଲା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସିବିଆଇ ଜେରା କରିବା ପାଇଁ ଶାନ୍ତିନିକେତନ ସ୍ଥିତ ତାଙ୍କ ଘରେ ଆଜି ସକାଳେ ପହଞ୍ଚିଛି। ମହିଳା କର୍ମଚାରୀମାନେ ମଧ୍ୟ ଏହି ସିବିଆଇ ଟିମ୍‌ରେ ସାମିଲ ଅଛନ୍ତି।
ରୁଜିରାଙ୍କ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଜମା ଥିବା ଅଭିଯୋଗ ରହିଛି। ମନି ଲଣ୍ଡରିଂ ମାମଲାରେ ସିବିଆଇ ଗତ ମାର୍ଚ୍ଚ ମାସରେ ରୁଜିରାଙ୍କୁ ସମନ୍‌ ପଠାଇଥିଲା। ଏହି ମାମଲାରେ ମମତାଙ୍କ ପୁତୁରା ବୋହୂଙ୍କୁ ପ୍ରଥମରୁ ସିବିଆଇ ଫେବ୍ରୁଆରୀ ୨୦୨୧ରେ ପଚରାଉଚରା କରିଥିଲା। ସେତେବେଳେ ସିବିଆଇ ତାଙ୍କୁ ୪ ଘଣ୍ଟା ଜେରା କରିଥିଲା, କିନ୍ତୁ ରୁଜିରାଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା।
ଏହି ସ୍କାମକୁ ନେଇ ଇଡି ଓ ସିବିଆଇ ଉଭୟ ଜେରା ଚଲାଇଛନ୍ତି। ଗତ ବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ‘ତ୍ରୁଣମୂଳ କଂଗ୍ରେସ’ର ଜାତୀୟ ସଚିବ ସାଂସଦ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବରୁ ସେପ୍ଟେମ୍ବର ୧୦ରେ ଉଭୟଙ୍କ ପ୍ରତି ଜାରି ହୋଇଥିବା ସମନ୍‌ ବିରୋଧରେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ଆବେଦନରେ ସେମାନେ ଲେଖିଥିଲେ କି, ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ସେମାନଙ୍କୁ ଦିଲ୍ଲୀରେ ହାଜର ହେବାକୁ ସମନ୍‌ ଦିଆ ନ ଯାଉ। ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ବାନାର୍ଜୀଙ୍କୁ ଥରେ ମାତ୍ର ଜେରା କରାଯାଇଥିଲା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁନୁସ୍ତୋରିଆ ଓ କାଜୋରା ଅଞ୍ଚଳ ଏବଂ ଆସାନସୋଲ୍‌ ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ ଲିମିଟେଡ୍‌’ର ଖଣିରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଥିବା ଅଭିଯୋଗରେ ‘ସିବିଆଇ’ ଏତଲା ଦାଏର କରିଥିଲା।
ଏହି ମାମଲାକୁ ନେଇ ଲଗାତର ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସିବିଆଇ ଓ ଇଡି ଭଳି ଏଜେନ୍ସିର ବ୍ୟବହାର କେନ୍ଦ୍ର ସରକାର ଭୁଲ୍‌ ରୂପେ କରୁଥିବା ସେ ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରିବାକୁ ନେଇ ମଧ୍ୟ ଟିମଏସି ସୁପ୍ରିମୋ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

nis-ad
Leave A Reply

Your email address will not be published.