ସଙ୍କୁଚିତ ହେବ ରାଜ୍ୟପାଳଙ୍କ କ୍ଷମତା ! ତାମିଲନାଡୁ ପରେ ବେଙ୍ଗଲରେ ପାରିତ ହେଲା ବିଲ୍‌

କୋଲକାତା: ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ ଓ ସରକାରୀ କାର୍ଯ୍ୟକ୍ରମ ଉପରେ ତାଙ୍କର ଅଯଥା ହସ୍ତକ୍ଷେପକୁ ରୋକିବା ପାଇଁ ଗୋଟିଏ ବିଲ୍‌ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆଜି ବେଙ୍ଗଲ ବିଧାନସଭାରେ ପାରିତ ହୋଇଥିବା ବିଲ୍‌ ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିବାର ଅଧିକାର ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ। ଏଥିସହ ରାଜ୍ୟର ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ରାଜ୍ୟପାଳ କୁଳାଧିପତିର ମାନ୍ୟତା ପାଉଥିଲେ।
ଏବେ ବିଧାନସଭାରେ ପାରିତ ହୋଇଥିବା ବିଲ୍‌ ଅନୁମୋଦନ ପାଇଁ ରାଜ୍ୟପାଳ ଜଗଦୀନ ଧନକରଙ୍କ ପାଖକୁ ଯିବ। ସାମ୍ବିଧାନିକ ନିୟମ ଅନୁଯାୟୀ ସେ ଏଥିରେ ମୋହର ମାରିବା କଥା। ହେଲେ ସେ ଚାହିଁଲେ, ଏହାକୁ ଦୀର୍ଘ ସମୟ ଧରି ନିଜ ପାଖରେ ପକାଇ ରଖି ପାରିବେ କିମ୍ବା ରାଷ୍ଟ୍ରପତିଙ୍କୁ ବିଲ୍‌ ଉପରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିପାରିବେ।
ବର୍ତ୍ତମାନ ବେଙ୍ଗର ରାଜ୍ୟପାଳ ଥିବା ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଶ୍ରୀ ଧନକର ନିଜ ଇଚ୍ଛାରେ କୁଳପତିମାନଙ୍କୁ ନିଯୁକ୍ତି ଦେବା ସହ ସରକାରୀ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା କ୍ଷମତାସୀନ ଟିଏମସି ବାରମ୍ବାର ଅଭିଯୋଗ କରି ଆସୁଛି। ସେହିପରି ରାଜ୍ୟରେ ଥିବା ୨୫ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ବେଳେ ରାଜ୍ୟପାଳଙ୍କ ଅନୁମତି ନିଆଯାଇ ନଥିବା ଜଗଦୀପ ଅଭିଯୋଗ କରିଛନ୍ତି।
ଏହି ବିବାଦକୁ ଦୃଷ୍ଟିରେ ବିଧାନସଭାରେ ଗୋଟିଏ ବିଲ ପାରିତ କରାଯାଇଛି। ଏହାପୂର୍ବରୁ ଗତ ମାସରେ ସମାନ ଏକ ବିଲ୍‌ ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିଲା। ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କୁ ନିଯୁକ୍ତ ଦେବେ ବୋଲି ବିଲ୍‌ରେ ଉଲ୍ଲେଖ କରାଯାଇଛି।
ଆଜି ବେଙ୍ଗଲ ଶିକ୍ଷାମନ୍ତ୍ରୀ ବର୍ତ୍ୟା ବାସୁ ବିଧାନସଭାରେ The West Bengal University Laws (Amendment) Bill, 2022 ଉପସ୍ଥାପନ କରିଥିଲେ। ସେ ବିଲ ଉପସ୍ଥାପନ କରି କହିଥିଲେ, ମୁଖ୍ୟମନ୍ତ୍ରୀ କୁଳାଧିପତି ଭାବେ କାର୍ଯ୍ୟ କଲେ କୌଣସି ଭୁଲ ନାହିଁ। ଯଦି ପ୍ରଧାନମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି ହୋଇ ପାରୁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀ କାହିଁକି ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ କାମ କରି ପାରିବେ ନାହିଁ? ଆପଣମାନେ ପୁଞ୍ଚି କମିଶନଙ୍କ ରିପୋର୍ଟକୁ ଦେଖିପାରିବେ। ବର୍ତ୍ତମାନର ରାଜ୍ୟପାଳ ଯିଏ କୁଳାଧିପତି ଭାବେ କାର୍ଯ୍ୟ କରୁଛନ୍ତି, ସିଏ ଏକାଧିକ ପ୍ରସଙ୍ଗରେ ପ୍ରୋଟକଲ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ କୁଳାଧିପତି ହେବା ଦରକାର ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହାକୁ ବିଜେପି ବିଧାୟକମାନେ ବିରୋଧ କରିଥିଲେ। ତେବେ ଭୋଟ ବେଳେ ମାତ୍ର ୪୦ ଜଣ ବିଧାୟକ ବିଲ ବିରୋଧରେ ଭୋଟ ଦେଇଥିବା ବେଳେ ଏହାର ସପକ୍ଷରେ ୧୮୩ ଖଣ୍ଡ ଭୋଟ ପଡ଼ିଛି।

nis-ad
Leave A Reply

Your email address will not be published.