ରାଷ୍ଟ୍ରପତି ନିର୍ବାଚନ ନେଇ କସରତ ଆରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୁଥିବା ପ୍ରୟାସକୁ ନେଇ ଚର୍ଚ୍ଚା ଜୋ ଧରିଛି। ଆସନ୍ତା ୧୫ରେ ୮ଜଣ ଅଣବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ ଜଣ ନେତାଙ୍କୁ ଦିଲ୍ଲୀ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି ଦିଦି। ଏଥିରେ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବ ସେନେଇ ଆଲୋଚନା କରାଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ସମସ୍ତଙ୍କ ନଜର ଏହି ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଥିବା ବିଜେଡିର ଆଭିମୁଖ୍ୟ ଉପରେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ବିଜେଡି କହିଥିବା ବେଳେ କଂଗ୍ରେସ୍ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ସହ ଆଲୋଚନା କରାଯିବ । କିନ୍ତୁ ସେମାନେ ସମର୍ଥନ କରିବାର ସମ୍ଭାବନା ନାହିଁ।
ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ୍ ସାଂସଦ ମଲିକାର୍ଜୁନ ଖର୍ଗେଙ୍କୁ ବିରୋଧୀ, ରାଷ୍ଟ୍ରପତି ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଛି । ନାଁ ଚୂଡାନ୍ତ ହୋଇନଥିଲେ ମଧ୍ୟ ୧୫ ତାରିଖ ବୈଠକରେ ଏହା ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ସେପଟେ ମମତାଙ୍କ ଏଭଳି ପ୍ରୟାସକୁ ସାମଲୋଚନା କରିଛି ବିଜେପି । କହିଛି ୨୦୧୭ ରାଷ୍ଟ୍ରପତି ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ମମତା ଏଭଳି ପ୍ରୟାସ କରିଥିଲେ। କିନ୍ତୁ ସଫଳ ହୋଇ ନଥିଲେ। ଏବେ ବି କେବଳ ସପ୍ନ ଦେଖୁଛନ୍ତି । ସେପଟେ ଆପ୍ କହିଛି ସବୁ ବେଳେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ପ୍ରୟାସ ହୋଇଥାଏ । ଏଥର ମଧ୍ୟ ପ୍ରୟାସ କରାଯାଉଛି ।
ରାଷ୍ଟ୍ରପତି ନିର୍ବାଚନ ନେଇ ମିଳିତ ବିରୋଧୀ ଦଳ ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏଥର ନିର୍ବାଚନରେ ବିଜେଡି ଓ ଓ୍ୱାଇଏସ୍ଆର୍ କଂଗ୍ରେସ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତେଣୁ ନବୀନଙ୍କ ଆଭିମୁଖ୍ୟ କଣ ରହିବ ତାକୁ ନେଇ ସବୁଠି ଚର୍ଚ୍ଚା। ଗତ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିଥିଲା । ତେବେ ୧୯ ନିର୍ବାଚନ ପରେ ବିଜେଡି-ବିଜେପି ଭିତରେ ମଧୁର ସଂପର୍କ ରହି ଆସିଥିବା ଚର୍ଚ୍ଚା ହେଉଛି । କିଛିଦିନ ତଳେ ନବୀନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କୁ ଭେଟିଥିଲେ। ଏଭଳି ସ୍ଥିତିରେ ବିଜେଡି, ମମତା ଡାକିଥିବା ବୈଠକକୁ ଯିବାର ସମ୍ଭାବନା ବହୁତ କମ୍ । ଦଳୀୟ ସୂତ୍ରରୁ ମଧ୍ୟ ଏହି ସୂଚନା ମିଳୁଛି । ସେପଟେ କଂଗ୍ରେସ୍ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ସହ ଆଲୋଚନା କରାଯିବ। ତେବେ ସେମାନେ ସମର୍ଥନ କରିବା ସମ୍ଭାବନା ନାହିଁ । ଅନ୍ୟପଟେ ଦେଶର ହିତ ଦୃଷ୍ଟିରୁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମର୍ଥନ ଜଣାଇବା ଦରାକାର ବୋଲି କହିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍, ଛତିଶଗଡ଼ ରାଜ୍ୟପାଳ ଅନସୂୟା ଉଇକେ, କର୍ଣ୍ଣାଟକ ରାଜ୍ୟପାଳ ଥାବର ଚାନ୍ଦ ଗେହଲଟ୍, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.