ପ୍ରଧାନମନ୍ତ୍ରୀ ଆଗକୁ ଆସି ଏହି ବିଷକୁ ବ୍ୟାପିବାରୁ ରୋକିବା ଉଚିତ୍ : ନସିରୁଦ୍ଦିନ ଶାହା

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ପ୍ରଫେଟ ମହମ୍ମଦ ବିରୋଧୀ ଏହି ମନ୍ତବ୍ୟକୁ ୧୫ଟି ଦେଶ ନିନ୍ଦା କରିଛନ୍ତି। ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଇରାକ୍‌, ଇରାନ, କୁଏତ, କତର, ଓମାନ, ସାଉଦି ଆରବ, ୟୁଏଇ, ଜର୍ଡାନ, ଆଫଗାନିସ୍ତାନ, ମାଳଦୀପ, ବାହରିନ୍‌, ଲିବ୍ୟା ଏବଂ ଇଣ୍ଡୋନେସିଆ। ବିଶେଷ କରି ଏହି ଇସ୍‌ଲାମିକ୍‌ ଦେଶଗୁଡ଼ିକ ମହମ୍ମଦଙ୍କ ବିରୋଧରେ ନେତ୍ରୀଙ୍କର ଏପରି ଅପମାନଜନକ ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି।
ଏଭଳି ବାଦ ବିବାଦ ମଧ୍ୟରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଅଭିନେତା ନସିରୁଦ୍ଦିନ ଶାହା। ସେ କହିଛନ୍ତି ଯେ, ଏହି ସମଗ୍ର ଘଟଣାରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପାଟି ଖୋଲିବାକୁ ଏବଂ ଏହାକୁ ନିନ୍ଦା କରିବାକୁ ସରକାର ପ୍ରାୟ ଏକ ସପ୍ତାହ ସମୟ ନେଇଥିଲେ। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶ ଭଳି ଦେଶ ଭାରତ ସରକାରଙ୍କ ସଂପର୍କରେ ଏଭଳି ବିବୃତି ଦେଇଛନ୍ତି। ଏହି ପ୍ରକାର ଜିନିଷ ଏଠାରେ ଶୀର୍ଷ ସ୍ତରରେ ଘଟେ ନାହିଁ। ନୂପୁର ଶର୍ମା ହେଉଛନ୍ତି ବିଜେପିର ଜାତୀୟ ମୁଖପାତ୍ର। ସେ ଏଭଳି କହିବା ଗ୍ରହଣୀୟ ନୁହେଁ। ନୂପୁର କହୁଛନ୍ତି ଯେ, ହିନ୍ଦୁ ଦେବାଦେବୀଙ୍କ ବିଷୟରେ କୁହାଯିବାରୁ ସେ ଏଭଳି ମନ୍ତବ୍ୟ ଦେଲେ। କେଉଁଠି କୌଣସି ମୁସଲିମ, ହିନ୍ଦୁ ଦେବାଦେବୀଙ୍କ ବିଷୟରେ କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ମୋତେ ଏହାର ପ୍ରମାଣ ଦିଅନ୍ତୁ। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ରମଶଃ ବଢ଼ୁଥିବା ଏହି ବିବାଦରେ ହସ୍ତକ୍ଷେପ କରିବା ଉଚିତ୍ ବୋଲି ମତ ରଖିଛନ୍ତି ନସିରୁଦ୍ଦିନ ଶାହା।

nis-ad
Leave A Reply

Your email address will not be published.