ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା କହିଲେ “ମୁଁ ମାନସିକ ରୋଗୀ”

ପୁରୀ: ରାତିକ ଭିତରେ ବଦଳିଗଲା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡାଙ୍କ ବୟାନ। ଗତକାଲି, ମେ’ ୬ ତାରିଖରେ ସଂଜୟ ପଣ୍ଡା ପୁରୀ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ହଟଚମଟ ଆରମ୍ଭ ହୋଇଥିଲା।

କିନ୍ତୁ ଆଜି, ମେ’ ୭ ତାରିଖରେ ହଠାତ୍ ସଂଜୟଙ୍କର ବୟାନ ବଦଳି ଯାଇଛି। ରାତାରାତି ବୟାନ ବଦଳାଇବା ସହ ୧୫ ଦିନିଆ ଛୁଟି ପାଇଁ ଆବେଦନ କରିଛନ୍ତି ସଂଜୟ। ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଅବକାରୀ ଇନ୍ସପେକ୍ଟର ସଂଜୟ ଗତକାଲି କହୁଥିଲେ ପୁରୀ ପୋଲିସ ନିଶା ମାଫିଆଙ୍କଠାରୁ ମାସିକିଆ ବଟି ନେଉଛି। ଆଜି କିନ୍ତୁ ନିଜ ବୟାନ ବଦଳାଇଛନ୍ତି। ସେ କହିଛନ୍ତି, “ମୁଁ ଜଣେ ମାନସିକ ରୋଗୀ। କାଲି ଯାହା କହିଲି ଭୁଲ କହିଲି। ମୋ ମୁଣ୍ଡ କାମ କରୁନଥିବାରୁ ଏମିତିକା କହିଦେଇଛି। ମୋତେ କ୍ଷମା କରିଦିଅନ୍ତୁ। ମୁଁ ବହୁତ ଭଲ ପିଲା, ସମସ୍ତଙ୍କର ସମ୍ମାନ କରେ। ପୁରୀ ଏସପି ଭଲ କାମ କରୁଛନ୍ତି, ପୁରୀ ଜିଲ୍ଲାପାଳ ଭଲ କାମ କରୁଛନ୍ତି ଏବଂ ପୁରୀ ପୋଲିସ୍ ଭଲ କାମ କରୁଛି”।

ସଂଜୟ ପଣ୍ଡା ଆହରୁରି ମଧ୍ୟ କହିଛନ୍ତି ଯେ, ୨୦୨୦ ମସିହା ଅକ୍ଟୋବର ମାସରୁ ତାଙ୍କର ମାନସିକ ସ୍ଥିତି ଠିକ୍ ନାହିଁ। ସେ କୋଭିଡ ଆକ୍ରାନ୍ତ ହେବା ପରେ ଶାରୀରିକ ଏବଂ ମାନସିକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ରଥ ତାଙ୍କ ଚିକିତ୍ସା କରୁଛନ୍ତି। ଗତମାସଠାରୁ ତାଙ୍କର ମେଡିସିନ ସରିଯାଇଥିଲା। ତେଣୁ ମେଡିସିନ କଣ୍ଟିନ୍ୟୁ କରୁନଥିବାରୁ ଧୀରେ ଧୀରେ ତାଙ୍କର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିବା ସେ କହିଛନ୍ତି। ତାଙ୍କ ପତ୍ନୀ ମଧ୍ୟ ସମାନ କଥା ଦୋହରାଇଛନ୍ତି।

ଗତକାଲି ସଞ୍ଜୟ କହିଥିଲେ ପୁରୀ ପୋଲିସ୍ ନିଶା ମାଫିଆଙ୍କଠାରୁ ମାସିକିଆ ବଟି ଆଦାୟ କରୁଛି। ନିଶା କାରବାର ବିଷୟରେ ପୋଲିସ୍ ସବୁ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ। ସଂଜୟଙ୍କର ଏହି ବୟାନ ପରେ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡାଙ୍କର ଏହି ବିବାଦୀୟ ବୟାନ ପରେ ପରେ ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ନିଜର ବୟାନ ରଖିଥିଲେ।

ସେ କହି ଥିଲେ, “ସଂଜୟଙ୍କର ମାନସିକ ସ୍ଥିତି ଠିକ୍ ନାହିଁ। ଗତ ମାସଠାରୁ ତାଙ୍କ ହାବଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁଥିଲା। ନିକଟରେ ହୋଇଥିବା ଚଢ଼ଉ ସମୟରେ ମଧ୍ୟରେ ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ସ୍ପଷ୍ଟ ଭାବେ ଜାଣିବାକୁ ମିଳିଥିଲା”। 

ଆଜି ମଧ୍ୟ ଅବକାରୀ ଅଧିକ୍ଷକ ସମାନ କଥା ଦୋହରାଇବା ସହ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା ଦେଇଥିବା ଛୁଟି ଦରଖାସ୍ତ ସମ୍ପର୍କରେ କହିଛନ୍ତି। ସଂଜୟ ପଣ୍ଡା ନିଜ ଛୁଟି ଆବେଦନରେ ଲେଖିଛନ୍ତି, ସେ ମାନସିକ ଏବଂ ଶାରୀରିକ ଭାବେ ବର୍ତ୍ତମାନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା କରାଇବାକୁ ଥିବାରୁ ସେ ୧୫ ଦିନ ଛୁଟି ଚାହୁଁଛନ୍ତି।

ଗତକାଲି, ମେ’ ୬ ତାରିଖରେ ଅବକାରୀ ଇନସପେକ୍ଟର ସଂଜୟ ପଣ୍ଡା, ଅବକାରୀ କମିଶନରଙ୍କୁ ସେ ଚିଠି ଲେଖି ପୁରୀ ପୋଲିସ ନିଶା ମାଫିଆଙ୍କଠାରୁ ମାସିକିଆ ବଟି ନେଉଥିବା ଅଭିଯୋଗ କରିଥିଲେ। ସେ ଆହୁରି ଲେଖିଥିଲେ ଏକ ବର୍ଷ ହେଲା ଏଠାରେ ବଟି କାରବାର ଚାଲିଛି। ଅବକାରୀ ବିଭାଗ ଯେଉଁ ଅଭିଯୁକ୍ତମାନଙ୍କୁ ଧରୁଛି ସେହି ଅଭିଯୁକ୍ତଙ୍କଠାରୁ ପୋଲିସ ବଟି ଆଦାୟ କରୁଛି। ଏହି କାରଣରୁ ନିଶା ମାଫିଆମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଖାତିର କରୁନାହାନ୍ତି।

ଇନ୍ସପେକ୍ଟର ସଂଜୟ ଗତକାଲି ଦେଇଥିବା ବୟାନ ଏବଂ ଆଜିର ବୟାନ ଭିତରେ ଆକାଶ ପାତାଳର ଫରକ ରହିଛି। ସଂଜୟ ଚାପରେ ପଡ଼ି ନିଜ ବୟାନ ବଦଳାଇଛନ୍ତି ନା’ ସତରେ ତାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.