ରାଜ୍ୟସଭା ନିର୍ବାଚନ ପୂର୍ବରୁ ରିସର୍ଟ ପଲିଟିକ୍ସ

ଜୟପୁର: ରାଜସ୍ଥାନ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ରିସର୍ଟ ପଲିଟିକ୍ସ। ନେତାଙ୍କୁ ଘାରିଲାଣି ଘୋଡା ବେପାର ଓ କ୍ରସ ଭୋଟିଂ ଭୟ। ଏଥିପାଇଁ କିଏ କେଉଁ ଉପାୟରେ ନିଜ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିବେ ସେ ନେଇ ଚାଲିଛି ପ୍ରସ୍ତୁତି। ଯେପରି ବିଧାୟକମାନେ ବାଡ ନ ଡେଇଁବେ ସେଥିପାଇଁ କଡା ପହରା ଦିଆଯାଉଛି।
ନିର୍ବାଚନକୁ ଆଉ ହାତରେ ମାତ୍ର ତିନି ଦିନ ରହିଛି। ଜୁନ୍ ୧୦ରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ବିଧାୟକମାନଙ୍କୁ ରିସର୍ଟକୁ ପଠାଇବା ଆରମ୍ଭ କରି ଦେଇଛନ୍ତି। ଏହା ପୂର୍ବରୁ ପ୍ରଥମେ କଂଗ୍ରେସ ନିଜ ଦଳର ବିଧାୟକଙ୍କୁ ରିସର୍ଟକୁ ପଠାଇଥିଲା। ଆଉ ଏବେ ବିଜେପି ପଠାଇଛି। ବିଜେପି ତା’ ବିଧାୟକମାନଙ୍କୁ ଜୟପୁର ବାହାରେ ଏକ ରିସର୍ଟକୁ ସ୍ଥାନାନ୍ତର କରିଦେଇଛି।
ବିଜେପି ବିଧାୟକମାନେ ରିସର୍ଟରେ ରହିବାର ପ୍ରଥମ ଦିନରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଖୋଜ ଥିଲେ। କିନ୍ତୁ ଅନ୍ୟତମ ରାଜ୍ୟ ବିଜେପି ନେତା ତଥା ରାଜସ୍ଥାନ ବିଜେପି ମୁଖ୍ୟ ସତୀଶ ପୁନା, ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ, ଉପନେତା ରାଜେନ୍ଦ୍ର ରାଠୋରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହାପରେ ଜୟପୁର ଉପକଣ୍ଠ ଜାମଡୋଲିର ଏକ ରିସର୍ଟ ଦେବୀ ନିକେତନକୁ ବିଜେପି ନିଜର ୭୧ ବିଧାୟକଙ୍କ ମଧ୍ୟରୁ ୬୦ରୁ ଅଧିକ ବିଧାୟକଙ୍କୁ ସ୍ଥାନାନ୍ତର କରିଛି। ଏହି ରହଣିକୁ ‘ପ୍ରଶିକ୍ଷଣ ଶିବିର’ ବା ଲର୍ଣ୍ଣିଂ କ୍ୟାମ୍ପ ବୋଲି କହିଛି ଗେରୁଆ ଦଳ।
ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ବିଧାୟକଙ୍କୁ ଉଦୟପୁରର ଏକ ପଞ୍ଚତାରକା ହୋଟେଲରେ ରଖିଥିଲା। ରାଜ୍ୟରେ ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପାଞ୍ଚ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ତିନି ଜଣ କଂଗ୍ରେସର ହୋଇଥିବା ବେଳେ ବିଜେପି ଜଣେ ପ୍ରାର୍ଥୀ ଦେଇଛି ଏବଂ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ଜି ମିଡିଆ ତଥା ଏସେଲ୍ ଗ୍ରୁପ୍ର ମୁଖ୍ୟ ସୁବାସ ଚନ୍ଦ୍ରଙ୍କୁ ମଧ୍ୟ ସମର୍ଥନ କରୁଛି।
ରାଜ୍ୟସଭାକୁ ଯିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୪୧ଟି ଭୋଟର ଆବଶ୍ୟକତା ରହିଛି। ରାଜ୍ୟରେ ୧୦୮ ବିଧାୟକ ଥିବା କଂଗ୍ରେସର ଦୁଇ ପ୍ରାର୍ଥୀ ମୁକୁଲ ଓ୍ୱାସନିକ ଓ ରଣଦୀପ ସୂର୍ଯ୍ୟେଓ୍ୱାଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ତୃତୀୟ ପ୍ରାର୍ଥୀ ପ୍ରମୋଦ ତିଓ୍ୱାରୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ୧୫ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି।
ସେପଟେ ସ୍ୱାଧୀନ ପ୍ରାର୍ଥୀ ସୁବାସ ଚନ୍ଦ୍ରାଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେପି ପାଖରେ ଏବେ ବି ୭୧ ବିଧାୟକ ଥିବା ବେଳେ ଆଉ ୧୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପିର ଘନଶ୍ୟାମ ତିୱାରୀ ସହଜରେ ଜିତିବେ ବୋଲି ଆଶା କରାଯାଉଛି।

nis-ad
Leave A Reply

Your email address will not be published.